ସାମ୍ନାକୁ ଆସିଲା ଜାଲ୍ କଂପାନିଙ୍କ କଳାକାରନାମା: ବିମୁଦ୍ରାକରଣ ସମୟରେ ୪୫୦୦ କୋଟି କଳାଟଙ୍କା ଧଳା କରିଥିଲେ

25

କନକ ବ୍ୟୁରୋ: ଗତବର୍ଷ ନଭେମ୍ବର ୮ରେ ବିମୁଦ୍ରାକରଣ ପରେ ଜାଲ୍ କଂପାନିଗୁଡ଼ିକ ଜରିଆରେ ବିପୁଳ ପରିମାଣର କଳାଟଙ୍କା ଧଳା କରାଯାଇଛି । ସରକାର ୧୩ଟି ବ୍ୟାଙ୍କରୁ ହାସଲ କରିଥିବା ତଥ୍ୟକୁ ଅନୁଧ୍ୟାନ କରାଯିବା ପରେ ତାହା ଜାଣିପାରିଛନ୍ତି । ପାଖାପାଖି ୫୮୦୦ଟି କଂପାନିର କାରବାର ଉପରେ ସନ୍ଦେହ ପ୍ରକଟ କରାଯାଇଛି ।

ଜାଲ୍ କଂପାନିଗୁଡ଼ିକର ବ୍ୟାଙ୍କ ଖାତା ଏକ ପ୍ରକାର ନିଷ୍କ୍ରିୟ ରହିଥିଲା । ବିମୁଦ୍ରାକରଣ ଘୋଷଣା ହେବା ପରେ ହଠାତ ଏହି କଂପାନିଗୁଡ଼ିକ ସକ୍ରିୟ ହୋଇ ଉଠିଥିଲେ । ଏହି କଂପାନିଗୁଡ଼ିକ ନିଜ ନାମରେ ଶତାଧିକ ଖାତା ଖୋଲିଥିଲେ । ସେଥିରେ ବିପୁଳ ପରିମାଣର ଟଙ୍କା ଜମା କରିଥିଲେ ଏବଂ ପରବର୍ତି ପର୍ଯ୍ୟାୟ ସବୁ ଟଙ୍କା ଉଠାଇ ନେଇଥିଲେ ।

ଏଭଳି ଜାଲ୍ କଂପାନିଗୁଡ଼ିକର ୧୩,୧୪୦ଟି ବ୍ୟାଙ୍କ ଖାତାରେ ୪୫୭୪ କୋଟି ଟଙ୍କା ବିମୁଦ୍ରାକରଣ ପରେ ଜମା ହୋଇଥିଲା ଏବଂ କିଛି ଦିନ ଭିତରେ ସେଥି ମଧ୍ୟରୁ ୪୫୫୨ କୋଟି ଟଙ୍କା ଉଠାଇ ମଧ୍ୟ ନିଆଯାଇଥିଲା । ବିମୁଦ୍ରାକରଣ ପରେ ବ୍ୟାଙ୍କମାନେ ୨,୦୯,୦୩୨ଟି କଂପାନିର କାରବାର ଉପରେ ସନ୍ଦେହ ପ୍ରକଟ କରିଥିଲେ । ବ୍ୟାଙ୍କଗୁଡ଼ିକ ସେହି ତଥ୍ୟ ଚଳିତ ବର୍ଷ ରେଜିଷ୍ଟାର୍ ଅଫ୍ କଂପାନିଜକୁ ପ୍ରଦାନ କରିଥିଲେ । ଏହା ପରଠାରୁ ଉକ୍ତ କଂପାନିଗୁଡ଼ିକର ବ୍ୟାଙ୍କ ଖାତାକୁ ଅଚଳ କରିଦିଆଯାଇଛି । କିନ୍ତୁ ଏହା ପୂର୍ବରୁ ସେମାନେ ବିପୁଳ ପରିମାଣର କଳାଟଙ୍କା ଧଳା କରିପାରିଛନ୍ତି। କେତେକ କଂପାନି ନାମରେ ୧୦୦ରୁ ଅଧିକ ବ୍ୟାଙ୍କ ଖାତା ରହିଛି ।

ଅନ୍ୟ ଏକ ଜାଲ୍ କଂପାନି ନାମରେ ୨୧୩୪ଟି ବ୍ୟାଙ୍କ ଖାତା ଖୋଲାଯାଇଛି । ଅନ୍ୟ ସବୁ କଂପାନିଗୁଡ଼ିକର ୩୦୦-୯୦୦ ପର୍ଯ୍ୟନ୍ତ ବ୍ୟାଙ୍କ ଖାତା ରହିଛି । ବ୍ୟାଙ୍କମାନେ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ, ଏହି ସବୁ କଂପାନିଗୁଡ଼ିକର ମୋଟ ବ୍ୟାଙ୍କ ଖାତା ବାଲାନ୍ସ ଗତବର୍ଷ ନଭେମ୍ବର ୮ରେ ୨୨.୦୫ କୋଟି ଟଙ୍କା ଥିଲା । ଏହାର ପରଦିନ (ନଭେମ୍ବର ୯)ଠାରୁ ସେମାନଙ୍କ ବ୍ୟାଙ୍କ ଖାତା ଅଚଳ କରାଯିବା ପର୍ଯ୍ୟନ୍ତ ସମୟ ଭିତରେ ଏହି କଂପାନିଗୁଡ଼ିକ ନିଜର ବ୍ୟାଙ୍କ ଖାତାଗୁଡ଼ିକରେ ୪୫୭୪ କୋଟି ଟଙ୍କା ଜମା କରିଥିଲେ ଏବଂ ୪୪୫୨ କୋଟି ଟଙ୍କା ଉଠାଇ ମଧ୍ୟ ନେଇଥିଲେ ।

ବ୍ୟାଙ୍କମାନେ ପ୍ରଦାନ କରିଥିବା ତଥ୍ୟକୁ ସରକାର ଅନୁଧ୍ୟାନ କରିବା ପରେ ଜାଣିବାକୁ ପାଇଛନ୍ତି ଯେ ବିମୁଦ୍ରାକରଣ ଘୋଷଣା ହେବା ଦିନ ୪୨୯ଟି କଂପାନିର ବାଲାନ୍ସ ଶୂନ ଥିଲା । ଏହା ପରେ ସେମାନେ ମୋଟ ୧୧ କୋଟି ଟଙ୍କା ଜମା କରିଥିଲେ ଏବଂ ଉଠାଇ ନେଇଥିଲେ । ସେହିପରି ୩୮୦୦ଟି କଂପାନିର ବହୁତ ସଂଖ୍ୟକ ଖାତା ରହିଛି । ବିମୁଦ୍ରାକରଣ ଦିନ ଏହି ସବୁ କଂପାନିର ମୋଟ ଜମା ରାଶି ପରିମାଣ ୧୩ କୋଟି ଟଙ୍କା ଥିଲା । ସେମାନଙ୍କ ବ୍ୟାଙ୍କ ଖାତା ଅଚଳ କରାଯିବା ଭିତରେ ସେମାନେ ୩୮୦୦ କୋଟି ଟଙ୍କା ଜମା କରିଥିଲେ ଏବଂ ଉଠାଇ ମଧ୍ୟ ନେଇଥିଲେ ।