କେବେ ତୁଟିବ ଅନ୍ଧବିଶ୍ୱାସ । ନାବାଳିକାକୁ ଶ୍ମଶାନରେ ବଳି ଉଦ୍ୟମ ନେଇ ଆସିଲା ସଙ୍ଗୀନ ଅଭିଯୋଗ

135

କନକ ବ୍ୟୁରୋ : ତନ୍ତ୍ର ସାଧନା ପାଇଁ ଜଣେ ନାବାଳିକାକୁ ଅପହରଣ କରି ନେଇ ଯୌନ ଶୋଷଣ କରିବା ଏବଂ ବଳି ଦେବାକୁ ଉଦ୍ୟମ କରିବା ଭଳି ଏକ ଚାଞ୍ଚଲ୍ୟକର ଅଭିଯୋଗ ହୋଇଛି। ଅବଶ୍ୟ ଘଟଣାର ଦଶ ଦିନ ପରେ ଏ ସଂକ୍ରାନ୍ତରେ ସାଲେପୁର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଏହାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ସାଲେପୁର ଥାନା ମିର୍ଜାପୁର ପଂଚାୟତ ଛୋଟିପଡ଼ା ଗ୍ରାମର ୧୩ ବର୍ଷର ନାବାଳିକା ଫେବ୍ରୁଆରି ୨୨ ତାରିଖ ସନ୍ଧ୍ୟାରେ ନିକଟସ୍ଥ ପଡ଼ିଆକୁ ଶୌଚ ହେବାକୁ ଯାଇଥିବା ବେଳେ ସେହି ଗ୍ରାମର ଜଣେ ଯୁବକ ଓ ତାର ସହଯୋଗୀ ନାବାଳିକାର ମୁହଁରେ କପଡ଼ା ଦେଇ ତାକୁ ଅଚେତ୍ କରି ନିକଟରେ ଥିବା ଶ୍ମଶାନକୁ ଟେକି ନେଇଥିଲେ। ତାକୁ ଉଲଗ୍ନ କରି ବସାଇ ତନ୍ତ୍ର ସାଧନା ପାଇଁ ପୂଜାର୍ଚ୍ଚନା କରିବା ସହିତ ବଳି ଦେବା ଯୋଜନା କରିଥିଲେ।

ନାବାଳିକାର ଚେତା ଫେରିବା ପରେ କୌଶଳକ୍ରମେ ସେଠାରୁ ଖସି ଆସି ଘର ଲୋକଙ୍କୁ ଏ କଥା କହିଥିଲେ। ଏ ସମ୍ପର୍କରେ ନାବାଳିକାର ବାପା ସଂପୃକ୍ତ ଯୁବକକୁ ପଚାରିବାରୁ ସେ ତାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲା। ସେହି ଘଟଣାର କିଛିଦିନ ପରେ ସଂପୃକ୍ତ ତାନ୍ତ୍ରିକ ଯୁବକ ଗ୍ରାମର ବିଭିନ୍ନ ସ୍ଥାନରେ ସିନ୍ଦୁର, ଫୁଲ ରଖି ପୂଜାର୍ଚ୍ଚନା କରି ତନ୍ତ୍ର କରିବା ଅଭିଯୋଗ ହୋଇଛି। ନାବାଳିକାର ଭାଇ ସହିତ ଗ୍ରାମର ଅନ୍ୟ ଦୁଇ ଜଣ ହଠାତ୍ ଅଚେତ ହୋଇଯିବା ସହ ବିଭିନ୍ନ ପ୍ରକାର ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରିଥିଲେ। ସଂପୃକ୍ତ ତାନ୍ତ୍ରିକ ଯୁବକ ଚଣ୍ତି ସାଧନା କରୁଥିବାରୁ ତାଙ୍କ ପୁଅ ସହ ୩ ଜଣ ଏହିଭଳି ଅସ୍ବାଭାବିକ ଆଚରଣ କରୁଛନ୍ତି ବୋଲି ନାବାଳିକାର ବାପା ଥାନାରେ ଅଭିଯୋଗ କରିଛନ୍ତି।