କରୋନା ପରେ ଦିଲ୍ଲୀକୁ ଡରାଇଲାଣି ବ୍ଲାକ ଫଙ୍ଗସ୍ । ମେକ୍ସ ହସ୍ପିଟାଲ ଓ ଏମ୍ସରେ ୪୫ ରୋଗୀ ଚିହ୍ନଟ । ମୂଲଚନ୍ଦ ହସ୍ପିଟାଲରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ

174

କନକ ବ୍ୟୁରୋ : କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ବେହାଲା ହୋଇପଡିଥିବା ଦିଲ୍ଲୀରେ ଏବେ ବ୍ଲାକ ଫଙ୍ଗସ ସଂକ୍ରମଣ ବଢିବାରେ ଲାଗିଛି । ଦିଲ୍ଲୀର ମେକ୍ସ ହସ୍ପିଟାଲ ଓ ଏମ୍ସରେ ୪୫ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ମୂଲଚନ୍ଦ ହସ୍ପିଟାଲରେ ଜଣେ ବ୍ଲାକ ଫଙ୍ଗସର ରୋଗୀଙ୍କର ମୃତ୍ୟୁ ହୋଇଛି  ।

ମୂଲଚନ୍ଦ ହସ୍ପିଟାଲର ବରିଷ୍ଠ ଡାକ୍ତର ଭଗବାନଙ୍କ କହିବା ମୁତାବକ ମେରଠରେ ରହୁଥିବା ୩୭ ବର୍ଷିୟ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ମଧୁୂମେହ ରୋଗରେ ପିଡୀତ ଥିଲେ । ମେଡିକାଲରେ କିଛିଦିନ ଚିକିତ୍ସା ପରେ ତାଙ୍କୁ ବ୍ଲାକ ଫଙ୍ଗସ ସଂକ୍ରମଣ ହୋଇଥିବା ଜଣାପଡିଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି ।ମୂଲଚନ୍ଦ ହସ୍ପିଟାଲ ବ୍ୟତୀତ ଦିଲ୍ଲୀର ଅନେକ ହସ୍ପିଟାଲରେ ଏବେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ସରଗଙ୍ଗାରାମ ହସ୍ପିଟାଲରେ ୪୦, ମେକ୍ସ ହସ୍ପିଟାଲରେ ୨୫ ଏମ୍ସରେ ୧୫ ଜଣ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ବ୍ଲକ ଫଙ୍ଗସ ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧ ଏବେ ହଠାତ ବଜାରରେ ଅଭାବ ହେଉଛି । ଏହାର କଳାବଜାରୀ ହେଉଥିବା ବି କିଛି ସ୍ଥାନରୁ ସୂଚନା ମିଳିଛି ।