ଭୟ ବଢ଼ାଉଛି କରୋନା ସଂକ୍ରମିତଙ୍କ ଠାରେ ନୂଆ ଲକ୍ଷଣ : କେତେ ମାରାତ୍ମକ ବ୍ଲାକ ଫଙ୍ଗସ ? ବିଶେଷଜ୍ଞ ଡାକ୍ତର କହିଲେ କାରଣ, ଲକ୍ଷଣ ଓ ନିରାକରଣ

579

କନକ ବ୍ୟୁରୋ : କରୋନା ସଂକ୍ରମିତଙ୍କଠାରେ ଦେଖାଯାଉଥିବା ନୂଆ ଲକ୍ଷଣ ବ୍ଲାକ ଫଙ୍ଗସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଡାକ୍ତର ନିରୋଜ ମିଶ୍ର । କରୋନାରୁ ସୁସ୍ଥ ହେବା ପରେ ରୋଗୀଙ୍କ ଶରୀରରେ କଳା ରଙ୍ଗର ଯାଦୁ ଭଳି ଦାଗ ବା ବ୍ଲାକ୍ ଫଙ୍ଗସ ଦେଖାଯାଉଛି । ଯାହାକୁ ମୁକୋରମିକୋସିସ୍ ବୋଲି କୁହାଯାଏ । ବିଶେଷକରି କରୋନାରୁ ସୁସ୍ଥ ହେବା ପରେ ଏଭଳି ଲକ୍ଷଣ ଦେଖାଯାଉଛି । ଏହା ବ୍ୟତିତ କେତେକ ଆକ୍ରାନ୍ତ ସୁସ୍ଥ ହେବା ପରେ ଦୃଷ୍ଟିଶକ୍ତି ହରାଉଥିବା ମଧ୍ୟ ସୂଚନା ମିଳିଛି ।

ଗୁଜୁରାଟର ସୁରତଠାରେ ଏଭଳି ୪୦ଟି ମାମଲା ଚିକିତ୍ସା ବିଶେଷଜ୍ଞଙ୍କ ନିଜରକୁ ଆସିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବ୍ଲାକ ଫଙ୍ଗସ ହେଉଛି ଏକ ପ୍ରକାର ଚର୍ମ ସଂକ୍ରମଣ । ପୋଡିଯିବା, କଟିଯିବା, ଭଳି କୌଣସି କ୍ଷତ ପରେ ଚର୍ମ ଉପରେ ଏଭଳି ସଂକ୍ରମଣ ହୋଇ କଳା ପଡିଯାଏ । ବାୟୁ ଦ୍ୱାରା ଏହା ସଂକ୍ରମିତ ହୋଇଥାଏ । ଗଳା ଏବଂ ଫୁସଫୁସ ସଂକ୍ରମଣ କାରଣରୁ ମଧ୍ୟ ଏହା ହୋଇଥାଏ । ଏହାଦ୍ୱାରା ମୁଣ୍ଡ ବିନ୍ଧିବା ସହ ଆଖି ଲାଲ ପଡିଥାଏ । କରୋନାରୁ ସୁସ୍ଥ ହେବାର ଦୁଇ ବା ତିନି ଦିନ ପରେ ଏହା ଆରମ୍ଭ ହୋଇଥାଏ । କ୍ରମେ ଏହା ମସ୍ତିଷ୍କକୁ ସଂକ୍ରମିତ କରିଥାଏ । ମଧୁମେହ ରୋଗୀ ଓ ଦୃଷ୍ଟିହୀନଙ୍କୁ ଏହା ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ । ଦିଲ୍ଲୀରେ ମଧ୍ୟ ଏଭଳି ରୋଗୀ ଚିହ୍ନଟ ହୋଇଥିବା କୁହାଯାଉଛି ।