କୋରାପୁଟ ମାଟିର କଳାଜିରା ଚାଉଳ , ସାଧାରଣ ଧାନ ଚାଷ ଠାରୁ ମିଳୁଛି ଅଧିକ ଲାଭ

178

କନକ ବ୍ୟୁରୋ : କୋରାପୁଟ ମାଟିର କଳାଜିରା ଚାଉଳ । ବିଶେଷକରି କୋରାପୁଟ, କୋଟପାଡ୍, ବୋରିଗୁମ୍ମା ଓ କୁନ୍ଦୁରାରେ ଅଧିକାଂଶ ଚାଷୀ କଳାଜିରା ଧାନ ଚାଷ କରିଥାଆନ୍ତି । ଜାତୀୟ ବଜାରରେ କୋରାପୁଟ୍ ମାଟିରୁ ଉତ୍ପାଦିତ ଦ୍ରବ୍ୟର ଚାହିଦା ବଢୁଥିବାବେଳେ ଏହି କଳାଜିରା ଚାଉଳ ମଧ୍ୟ ଆଦୃତି ଲାଭ କରିଛି । କୋରାପୁଟ କଫି ଆନ୍ତର୍ଜାତୀୟ ବଜାରରେ ପରିଚୟ ପାଇଥିବା ବେଳେ ପଣସ, ଅଦା, ହଳଦୀ, ମାଣ୍ଡିଆ ଓ କାଜୁ ରାଜ୍ୟ ବାହାରକୁ ରପ୍ତାନୀ ହେଉଛି । ବର୍ତମାନ ଏହି ତାଲିକାରେ ଯୋଡ଼ି ହୋଇଛି କଳାଜିରା ଚାଉଳ । ତେଣୁ ଚାଷୀଙ୍କୁ କିଭଳି ଅଧିକ ଲାଭବାନ କରାଯାଇ ପାରିବ ସେନେଇ ଉଦ୍ୟମ ଆରମ୍ଭ କରିଛି ଓରସାମ । ଧାନକୁ ସିଧାସଳଖ ବିକ୍ରି ନକରି ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ପ୍ରକ୍ରିୟାକରଣ ଓ ପ୍ୟାକିଂ କରି ସେମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇବାକୁ ଚେଷ୍ଟା କରାଯାଉଛି ।

ସାଧାରଣତଃ ପରମ୍ପରାକୁ ବଂଚାଇବା ପାଇଁ ଚାଷୀମାନେ ଅଳ୍ପ ଜମିରେ କଳାଜିରା ଧାନ ଚାଷ କରୁଥିଲେ । ଅମଳ ପରେ ଚାଉଳକୁ କେବଳ ପୂଜାପର୍ବ ଓ ଉତ୍ସବରେ ବ୍ୟବହାର କରୁଥିଲେ । ଏହାର ଗୁଣବତା, ସ୍ୱାଦ ଓ ମହକ ବାବଦରେ ଚାଷୀଙ୍କ ମଧ୍ୟରେ ସଚେତନତା ସ୍ୃଷ୍ଟି କରିବା ସହିତ ଅଧିକରୁ ଅଧିକ ଚାଷ କରିବାକୁ ଏମଏସ ସ୍ୱାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଉଦ୍ୟମ କରାଯାଇଛି । ଭଲ ଅମଳ ପାଇଁ ଉକ୍ରୃଷ୍ଟ ମାନର ବିହନ ଆବଶ୍ୟକତା ଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ଏକ ହଜାର କୁଇଂଟାଲ ବିହନ ଉତ୍ପାଦନ ପାଇଁ ଟାର୍ଗେଟ ରଖିଛି ପ୍ରତିଷ୍ଠାନ ।

ଉଚିତ୍ ପରିମାଣ ସହିତ ସଠିକ ଗୁଣବତା ପାଇଁ କୋରାପୁଟକୁ ରାଜ୍ୟ ବାହାର ବ୍ୟବସାୟୀଙ୍କ ସୁଅ ଛୁଟିଛି । ଦେଶର ବିଭିନ୍ନ ମେଟ୍ରୋସିଟିର ଆଉଟ୍ଲେଟ୍ ଏହି ଚାଉଳ ବିକ୍ରୀ ପାଇଁ ଆଗ୍ରହ ଦେଖାଉଛନ୍ତି । ଅନଲାଇନ ମାର୍କେଟିଂର ଅଗ୍ରଣୀ ସଂସ୍ଥା ଆମାଜନରେ ମଧ୍ୟ ଏହା ଉପଲବ୍ଧ ହେଉଛି । ଏହି ଚାଷକୁ ପ୍ରେତ୍ସାହନ ଦେବାପାଇଁ ନାବାର୍ଡ଼ ଓ ଉଦ୍ୟାନ କୃଷି ବିଭାଗର ମିଳିତ ଉଦ୍ୟମରେ ବିଭିନ୍ନ ଯୋଜନା କରାଯାଉଥିବା କହିଛନ୍ତି କେରାପୁଟ ଜିଲ୍ଲାପାଳ ।