କାଳିଆ ପାଇଁ କଳାଜିରା ଚାଉଳ: ପ୍ରସ୍ତୁତ ହେବ ମହାପ୍ରସାଦ! ଶାବର କ୍ଷେତ୍ରରୁ ଆସିଲା ଶ୍ରୀମନ୍ଦିର

107

କନକ ବ୍ୟୁରୋ: ଶାବର ଶ୍ରୀକ୍ଷେତ୍ରରୁ ଶ୍ରୀମନ୍ଦିର ଆସିଲା କଳାଜିରା ଚାଉଳ । ଜୈବିକ ପଦ୍ଧତିରେ ତିଆରି ହୋଇଥିବା କଳାଜିରା ମହାପ୍ରଭୁଙ୍କ କୋଠଭୋଗରେ ସାମିଲ କରିବାକୁ ଚାଷୀମାନେ ଅନୁରୋଧ କରିଛନ୍ତି । ପ୍ରଗତି ଓ ଜୈବିକ ଶ୍ରୀ କମ୍ପାନୀ ଦ୍ୱାରା ଜୈବିକ ପଦ୍ଧତିରେ ଚାଷ କରି ଏହି ସୁଗନ୍ଧିତ ଚାଉଳ ପ୍ରସ୍ତୁତ କରାଯାଇଛି ।

ଶ୍ରୀକ୍ଷେତ୍ର ସହ କୋରାପୁଟର ଶାବର ଶ୍ରୀକ୍ଷେତ୍ରର ଘନିଷ୍ଟ ସଂପର୍କ ରହି ଆସିଛି । ଆଉ ସେହି ସଂପର୍କର ପ୍ରତୀକ ଭାବେ ଶ୍ରୀମନ୍ଦିରରେ ପହଂଚିଛି ଜୈବିକ ପଦ୍ଧତିରେ ଉତ୍ପାଦିତ କଳାଜିରା ଚାଉଳ, କନ୍ଦମୂଳ ଓ କଦଳୀ କାନ୍ଦିର ଭାର ।

କୋରାପୁଟ ଶାବର କ୍ଷେତ୍ରରୁ ୨୦ ଜଣ ଚାଷୀ ଏକ କ୍ୱିଂଟାଲ କଳାଜିରା ଚାଉଳ ସହ ଅନୁରୋଧ ଯାତ୍ରାରେ ବାହାରି ପୁରୀ ପହଂଚିଥିଲେ । ପୁରୀ ବଲ୍ଲଭ ମଠରେ ପହଂଚିବା ପରେ, ପ୍ରସ୍ତୁତ ହୋଇ ଇ-ଅଟୋ ଯୋଗେ ଶ୍ରୀମନ୍ଦିର ଡୋନେସନ ସେଲକୁ ଯାଇ କଳା ଜିରା ଚାଉଳ ଜିମା ଦେଇଛନ୍ତି । ଏଥିସହ ମହାପ୍ରଭୁଙ୍କ କୋଠଭୋଗରେ କଳାଜିରା ଚାଉଳକୁ ସାମିଲ କରିବାକୁ ଚାଷୀମାନେ ଅନୁରୋଧ କରିଛନ୍ତି । ପ୍ରଗତି ଓ ଜୈବିକ ଶ୍ରୀ କମ୍ପାନୀ ଦ୍ୱାରା ଜୈବିକ ପଦ୍ଧତିରେ ଚାଷ କରି ଏହି ସୁଗନ୍ଧିତ ଚାଉଳ ପ୍ରସ୍ତୁତ କରାଯାଇଛି ।

ପାରମ୍ପରିକ ପୋଷାକ ପିନ୍ଧି କାଳିଆ ପାଇଁ କଳାଜିରା ଚାଉଳ ଧରି ଆସିଛନ୍ତି କୋରାପୁଟର ପୁରୁଷ ଓ ମହିଳା ଚାଷୀ । କଳାଜିରା ଚାଉଳକୁ ଜିଆଇ ଟ୍ୟାଗ ମିଳିବା ପରେ ଖୁସିରେ ଭକ୍ତିରେ, ଶ୍ରଦ୍ଧାରେ କାଳିଆ ପାଇଁ ଆଣିଛନ୍ତି । କଳାଜିରା ଚାଉଳରେ ପ୍ରସ୍ତୁତ ଖିରି ଓ ଖେଚୁଡି ବେଶ ସ୍ୱାଦିଷ୍ଟ । ତେଣୁ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି ।

କୋରାପୁଟରେ ପ୍ରତି ବ୍ଲକରେ ଏବେ ଏହି କଳାଜିରା ଧାନ ଚାଷ କରାଯାଉଛି । ଶ୍ରୀମନ୍ଦିର ରୋଷଶାଳାରେ ନିୟମିତ କଳାଜିରା ଚାଉଳରେ ମହାପ୍ରସାଦ ପ୍ରସ୍ତୁତ ହେଲେ ରାଜ୍ୟର ଚାଷୀ ଉପକୃତ ହେବେ ବୋଲି କୁହାଯାଉଛି ।