କରୋନା କଟକଣା ଭିତରେ ବିଜେପିର ଭର୍ଚୁଆଲ ରାଲି । ମହାମାରୀ ମୁକାବିଲାରେ ସରକାରଙ୍କ ସଫଳତା ବଖାଣିଲେ କେନ୍ଦ୍ର ଗୃହମନ୍ତ୍ରୀ । ବିଜେଡି ବିରୋଧରେ ଚୁପ୍, କଂଗ୍ରେସକୁ ସମାଲୋଚନା ।

439

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ଭୟ ଏତେ ବଢି ଯାଇଥିଲା ଯେ ସମସ୍ତେ ରାଜନୀତି ଭୁଲି ଯାଇଥିଲେ । କିନ୍ତୁ ଆଜି ବିଜେପି ନେତା, ଭୂତାଣୁର ଏହି ଭୟ ଭିତରେ ଭର୍ଚୁଆଲ୍ ରାଲିର ଆୟୋଜନ କରି, ଦିଲ୍ଲୀରୁ ଓଡିଶାବାସୀଙ୍କୁ ସମ୍ବୋଧନ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସରକାରଙ୍କ ୬ ବର୍ଷର ହିସାବ ଦେଇ, ମୋଦି ସରକାର ଓଡିଶାକୁ ସବୁଠାରୁ ବେଶି ସାହାଯ୍ୟ ଦେଇଥିବା କହିଛନ୍ତି । କରୋନା ମୁକାବିଲାରେ କେନ୍ଦ୍ର ସରକାର ଖୁବ୍ ଭଲ ଲଢେଇ ଲଢିଥିବାରୁ ଭାରତ ସ୍ଥିତି ଏବେ ଖୁବ୍ ଭଲ ଅଛି ବୋଲି କହିଛନ୍ତି ଶାହା । ମହାମାରୀ ମୁକାବିଲାରେ ଜନତା କର୍ଫ୍ୟୁ ଇତିହାସରେ ଲିପିବଦ୍ଧ ହୋଇ ରହିବ ବୋଲି କହିଛନ୍ତି ଶାହା ।

ଭର୍ଚୁଆଲ ରାଲିରେ ଓଡ଼ିଶାର ବିଜେପି କର୍ମର୍କର୍ତ୍ତା ଓ ଓଡ଼ିଶାବାସୀଙ୍କୁ ଉଦବୋଧନ ଦେଇ ମୋଦୀ ସରକାରଙ୍କ ୬ ବର୍ଷର ହିସାବ ଦେଇଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ହିସାବ କିତାବ ଭିତରେ କରୋନା ସହ ମୁକାବିଲାରେ ଦେଶର ସଫଳତା ବଖାଣିଛନ୍ତି ଅମିତ ଶାହା ।

ପ୍ରଧାନମନ୍ତ୍ରୀ ଜନତା କର୍ଫୁ ଘୋଷଣା କରିବା ପରେ କିପରି ଏହି ମୁକାବିଲାରେ ଏକତାର ସୂତ୍ରରେ ବାନ୍ଧି ହୋଇ ଯାଇଥିଲା, ତା’ର ଉଦାହରଣ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ତେବେ କରୋନା ମୁକାବିଲାରେ ପ୍ରବାସୀମାନଙ୍କ ଦୁଃଖଦୁର୍ଦ୍ଦଶା କଥା କହିବା ସମୟରେ ସରକାରଙ୍କ ତ୍ରୁଟିକୁ ମଧ୍ୟ ପରୋକ୍ଷରେ ସ୍ୱୀକାର କରିଛନ୍ତି ଅମିତ ଶାହା ।

କରୋନା ମୁକାବିଲାରେ ସରକାରଙ୍କ ସଫଳତା ବର୍ଣ୍ଣନା କରିବା ସହ ଅମିତ ଶାହା କହିଛନ୍ତି ଗତ ୬ ବର୍ଷରେ ମୋଦି ସରକାର ଯାହା କରିଛନ୍ତି, ତାହା ଅନ୍ୟ କୌଣସି ସରକାର ବର୍ଷ ବର୍ଷର ଶାସନ ପରେ ବି ଗରିବ, ଅବହେଳିତ ବର୍ଗଙ୍କ ପାଇଁ କରିପାରିନାହାନ୍ତି ।

ଓଡ଼ିଶାକୁ ବିଜେପିର ଅଭେଦ୍ୟ ଗଡ଼ କରିବାକୁ ଆହ୍ୱାନ ଦେଇଛନ୍ତି ଅମିତ ଶାହା । ସେ କହିଛନ୍ତି, ଓଡ଼ିଶାରେ ଏବେ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଛି ବିଜେପି । ଆଉ ତାଙ୍କର ଏହି ଅଧା କାମକୁ ପୂରଣ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ତେବେ ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ଅଭିଭାଷଣରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଥିବା ବେଳେ ନବୀନ ସରକାରଙ୍କ ବିରୋଧରେ ପଦଟିଏ ବି କହିନଥିଲେ । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜେଡି ସରକାରଙ୍କୁ ସିଧାସଳଖ ଆକ୍ଷେପ କରିନଥିଲେ । ତେବେ ମୋଦି ସରକାର କିପରି ରାଜ୍ୟର ବିକାଶ ପାଇଁ କାମ କରୁଛି, ତାର ହିସାବ ଦେବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅମ୍ଫାନ ବାତ୍ୟା ପରେ କିପରି ଛୁଟିଦିନରେ ସହାୟତାର ୫୦୦ କୋଟି ଓଡ଼ିଶାର ଟ୍ରେଜେରୀକୁ ପଠାଯାଇଥିଲା, ତାହା ଓଡ଼ିଶାବାସୀଙ୍କ ଆଗରେ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଅମିତ ଶାହାଙ୍କ ଭର୍ଚୁଆଲ ରାଲିରେ ବିଜେପି ଦିଲ୍ଲୀ କାର୍ଯ୍ୟାଳୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସହ ବିଜେପିର ବରିଷ୍ଠ ଜାତୀୟ ନେତାମାନେ ଉପସ୍ଥିତ ଥିଲେ । ସେହିପରି ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଓଡ଼ିଶାର ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ ।