ବରଗଡକୁ ମନାକରି ଝାରୁସୁଗୁଡା କାର୍ଯ୍ୟକ୍ରମରେ ଯୋଗଦେଲେ ସୁରେଶ ପୂଜାରୀ । ବିଜୁ ସ୍ମାର୍ଟ କାର୍ଡ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶକୁ କଲେ ପ୍ରଶଂସା ।

280

କନକ ବ୍ୟୁରୋ : ଝାରସୁଗୁଡା ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା । ଚର୍ଚ୍ଚାର କାରଣ ହେଉଛନ୍ତି ସାଂସଦ ସୁରେଶ ପୂଜାରୀ । ସୁରେଶ ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ମନା କରିଦେଇଥିଲେ, ସେଥିପାଇଁ ବରଗଡରେ ସେ ଉପସ୍ଥିତି ହୋଇନଥିଲେ । କିନ୍ତୁ ଝାରସୁଗୁଡାରେ ତାଙ୍କୁ ଦେଖିବାକୁ ମିଳିଥିଲା । ସେ ପୁଣି ସରକାରଙ୍କୁ ପ୍ରଶଂସା କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ପ୍ରଥମରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଲେ, ତାପରେ ନରମିଗଲେ । ବରଗଡ ବିଜେପି ସାଂସଦଙ୍କ ନରମ ଗରମ ଆଭିମୁଖ୍ୟ ରାଜନୀତିରେ ଝଡ ଆଣିଛି । ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ମଂଚରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ହେଲେ ବରଗଡ କାର୍ଯ୍ୟକ୍ରମରେ ସେ ନିଜକୁ ସାମିଲ କରିନଥିଲେ । ଆଉ ଏହାପରେ ସାଂସଦଙ୍କ ସଫେଇ ବି ବଡ ଆଶ୍ଚର୍ଯ୍ୟ କରିଥିଲା ।

ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ଦାବି କରି ମୁଖ୍ୟମନ୍ତ୍ରୀ ଓ ତାଙ୍କ  କାର୍ଯ୍ୟକ୍ରମକୁ ସାମାଜିକ ବାସନ୍ଦ କରିବ ବୋଲି ବିଜେପି ଘୋଷଣା କରିଥିଲା । ଏଭଳି ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ଝାରୁସୁଗୁଡା ସଭାରେ ବିଜେପି ସାଂସଦଙ୍କ ଉପସ୍ଥିତି ଓ କାର୍ଡ ବାଣ୍ଟିବା ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।

ଦିନ କେଇଟାରେ କିଭଳି ବଦଳିଗଲା ସୁରେଶ ପୁଜାରୀଙ୍କ ଆଭିମୁଖ୍ୟ । ଡିଏମଏଫ ଫଣ୍ଡ ଆଉ ବିକାଶର ଦ୍ୱାହି ଦେଇ ବିଜୁ ସ୍ମାର୍ଟ କାର୍ଡ ବାଂଟିଥିବା ବିଜେପି ସାଂସଦ କିନ୍ତୁ ଏବେ ବିବାଦ ଘେରରେ ଛନ୍ଦି ହୋଇଛନ୍ତି । ବିଜେପି ନେତ୍ରୀ ରାଧାରାଣୀ ପଣ୍ଡାଙ୍କ ବୟାନ ଦର୍ଶାଉଛି, ବିଜେପି ଦଳ ଭିତରେ ସୁରେଶ ପୁଜାରୀଙ୍କ ଆଭିମୁଖ୍ୟକୁ ନାପସନ୍ଦ କରାଯାଇଛି ।

ପଂଚାୟତ ନିର୍ବାଚନ ଆଗରୁ ସରକାର ସ୍ମାର୍ଟ କାର୍ଡ ଜରିଆରେ ଲୋକଙ୍କ ବିଶ୍ୱାସ ଜିତିବାକୁ ଉଦ୍ୟମ କରୁଥିବା ବେଳେ ବିଜେପି ଲଗାତର ଏହାକୁ ବିରୋଧ କରି ଆୟୁଷ୍ମାନ ଯୋଜନା ପାଇଁ ଯୁକ୍ତି ବାଢୁଛି । ହେଲେ ସୁରେଶ ପୁଜାରୀଙ୍କ ପ୍ରଶଂସାର ଭାଷଣ ବିଜେପି ପାଇଁ ଅଡୁଆ ଆଣିଥିବା କୁହାଯାଉଛି । ପ୍ରଶଂସା ଭରା ଭାଷଣ ଆଉ ରାଜ୍ୟ ବିଜେପିର ଆଭିମୁଖ୍ୟ ଓ ନିଷ୍ପତି ଭିତରେ ରହୁଥିବା ଫରକ୍ ଦଳ ପାଇଁ କଣ ସ୍ଥିତି ସୃଷ୍ଟି କରିବ, ତାଉପରେ ନଜର ।