କନକ ବ୍ୟୁରୋ: ମେଣ୍ଟ ଚର୍ଚ୍ଚା ଭିତରେ ଚଳଚଂଚଳ ରାଜ୍ୟ ବିଜେପି କାର୍ଯ୍ୟାଳୟ । ବସୁଛି ଘନ ଘନ ବୈଠକ । ଆଜି ମଧ୍ୟ ରାଜ୍ୟ କାର୍ଯ୍ୟାଳୟରେ ଏକାଠି ହୋଇଛନ୍ତି ରାଜ୍ୟ ନିର୍ବାଚନ ପ୍ରଭାରୀ, ସହ ପ୍ରଭାରୀ, ସାଂସଦ ପ୍ରତାପ ଷଡଙ୍ଗୀ ଓ ଜୁଏଲ ଓରାମଙ୍କ ଅନେକ ବରିଷ୍ଠ ନେତା । ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ୧୪୭ଟି ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଥିବା ସୂଚନା ମିଳିଛି ।

ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ କହିଛନ୍ତି, ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ନାମାଙ୍କନ ଠାରୁ ଆରମ୍ଭ କରି ନିର୍ବାଚନ ଶେଷ ପର୍ଯ୍ୟନ୍ତ ସବୁ ପ୍ରସଙ୍ଗରେ ଆଲୋଚନା ହୋଇଛି । ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନା ଚୂଡ଼ାନ୍ତ ହେବ ବୋଲି କହିଛନ୍ତି ନିର୍ବାଚନ ପ୍ରଭାରୀ । ସେପଟେ ସାଂସଦ ତଥା ବିଜେପି କୋର କମିଟି ସଦସ୍ୟ ପ୍ରତାପ ଷଡଙ୍ଗୀ କହିଛନ୍ତି, ନିର୍ବାଚନ ନେଇ ରାଜ୍ୟ ବିଜେପି ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଦଳ ପୂରା ଦମରେ ଲଢେଇ କରିବା ପାଇଁ ପ୍ରସ୍ତୁତ ରହିଛି ।

ଶନିବାର ରାଜ୍ୟ କାର୍ଯ୍ୟାଳୟରେ ହୋଇଥିବା କୋର କମିଟି ଓ ନିର୍ବାଚନ କମିଟି ବୈଠକରେ ସବୁ ବିଷୟରେ ଆଲୋଚନା ହୋଇଛି । ସମ୍ଭାବ୍ୟ ତାଲିକା ସର୍ଟ ଲିଷ୍ଟ କରାଯାଇଛି । ଆଜି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦିଲ୍ଲୀ ପଠାଯିବ । କେନ୍ଦ୍ରୀୟ ସଂସଦୀୟ ବୋର୍ଡ ମୋହର ମାରିବା ପରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ତୃଣମୂଳ ସ୍ତରରୁ ନିର୍ବାଚନ ପର୍ଯ୍ୟବେକ୍ଷକ ଦେଇଥିବା ନାଁକୁ ନେଇ ବୈଠକରେ ବିଚାରବିମର୍ଶ କରାଯାଇଥିଲା । ଭଲ ସଂଗଠନ ଓ ବିଜୟ ସମ୍ଭାବନା ଭଳି ଦିଗକୁ ନେଇ ସମସ୍ତ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ତାଲିକାଭୁକ୍ତ କରାଯାଇଛି ।