କନକ ବ୍ୟୁରୋ : ଦିନ ଗଡିବା ସହ ସରଗରମ ହେଉଛି ଉତ୍ତରପ୍ରଦେଶ ରାଜନୀତି । ପ୍ରତିଦିନ ବଦଳୁଛି ଉତ୍ତରପ୍ରଦେଶ ରାଜନୀତିର ପାଣିପାଗ । ଆଜି ଅଖିଳେଶଙ୍କ ଭାଇ ବୋହୂ ତଥା ମୁଲାୟମଙ୍କ ସାନ ବୋହୂ ବିଜେପିରେ ଯୋଗ ଦେଇ ଉତ୍ତରପ୍ରଦେଶ ରାଜନୀତିକୁ ରୋଚକ କରିଛନ୍ତି । ଆଉ ଏସବୁ ଭିତରେ ଆଜି ବିଜେପି ଉତ୍ତରପ୍ରଦେଶ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ବିଜେପି ଘୋଷଣା କରିଥିବା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଦଳର ଅନେକ ବଡ ଚେହେରା ରହିଛନ୍ତି । ବଡ ବଡ ସଭା ଓ ସମାବେଶକୁ ଅନୁମତି ମିଳିନଥିବାରୁ ଭର୍ଚୁଆଲରେ ଲୋକଙ୍କ ପାଖରେ ପହଞ୍ଚିବେ ନେତା ।
ବିଜେପି ଘୋଷଣା କରିଥିବା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ, ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ବଡ ଚେହେରାଙ୍କ ନାଁ ରହିଛି । ଏମାନଙ୍କ ବ୍ୟତୀତ ସ୍ମୃତି ଇରାନୀ, କେଶବ ପ୍ରସାଦ ମୌର୍ଯ୍ୟ, ରାଧା ମୋହନ ସିଂ, ମୁକ୍ତାର ଆବାସ ନକଭିଙ୍କ ଭଳି ଚେହେରାଙ୍କୁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିଛି । ତେବେ ଷ୍ଟାର ପ୍ରଚାରକ ତାଲିକାରୁ ଉତ୍ତରପ୍ରଦେଶରୁ ବିଜେପି ସାଂସଦ ଥିବା ବରୁଣ ଗାନ୍ଧୀ ଓ ମାନେକା ଗାନ୍ଧୀଙ୍କୁ ବାଦ୍ ଦିଆଯାଇଛି ।
ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ବିଜେପି ସାଂଦସ ବରୁଣ ଗାନ୍ଧୀ ଦଳୀୟ ନେତୃତ୍ୱଙ୍କ ଉପରେ ପ୍ରଶ୍ନବାଚୀ ଉଠାଇଥିଲେ । ଏପରିକି ଯୋଗୀ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ସହ ଲକ୍ଷ୍ମୀପୁରରେ ଆନ୍ଦୋଳନକାରୀଙ୍କ ଉପରେ ଗାଡି ଚଢାଇ ହତ୍ୟା କରିବା ଘଟଣାରେ ନିଜ ଦଳର ମନ୍ତ୍ରୀଙ୍କୁ କାଠଗଡାରେ ଛିଡା କରିଥିଲେ । ଯାହା ଦଳ ପାଇଁ ଅଡୁଆ ସୃଷ୍ଟି କରିଥିବା ବେଳେ ବିରୋଧୀଙ୍କ ପାଇଁ ସରକାରଙ୍କୁ ଘେରିବାକୁ ସୁଯୋଗ ସୃଷ୍ଟି କରିଥିଲା ।
ଅନ୍ୟପଟେ ମୁଲାୟମଙ୍କ ବୋହୂ ବିଜେପିରେ ସାମିଲ ହେବାକୁ ନେଇ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଅପର୍ଣ୍ଣାଙ୍କ ଦଳରେ ସାମିଲ କରି ବିଜେପି ଆହୁରି ଶକ୍ତିଶାଳୀ ହୋଇଛି । ବିଜେପିର ଡବଲ ଇଞ୍ଜିନ ସରକାରଙ୍କ କାମ ଦ୍ୱାରା ଅପର୍ଣ୍ଣା ପ୍ରଭାବିତ ହୋଇ ଦଳରେ ସାମିଲ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/47-5.jpg)