ପଞ୍ଜାବରୁ ପ୍ରଧାନମନ୍ତ୍ରୀ ଫେରିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ବୟାନ, “ଛୋଟ କଥାକୁ ବଡ ପ୍ରସଙ୍ଗ କରିବାକୁ ଚେଷ୍ଟା କରୁଛି ବିଜେପି”

208

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ଢିଲା ହୋଇଥିବା ପ୍ରସଙ୍ଗକୁ ନେଇ ବିବାଦ ଥମିବାରେ ନାଁ ନେଉନି । ଏହାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ସଫେଇ ଦେଇଛନ୍ତି । ସେ କହିଛନ୍ତି ଗୋଟିଏ ଛୋଟ ଘଟଣାକୁ ବିଜେପି ଏକ ବଡ ପ୍ରସଙ୍ଗ କରିବାକୁ ଚେଷ୍ଟା କରୁଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ବ୍ୟତିକ୍ରମ ହୋଇନଥିବା କଥା ଚନ୍ନି କହିଛନ୍ତି । ସେ ଆହୁରି କହିଛନ୍ତି କି ପ୍ରଧାନମନ୍ତ୍ରୀ ରାଲି ବିଫଳ ହେବାକୁ ଯାଉଥିଲା ଯାହାକୁ ଲୁଚାଇବାକୁ ଯାଇ ବିଜେପି ସୁରକ୍ଷା ପ୍ରସଙ୍ଗକୁ ଉଜାଗର କରିବାରେ ଲାଗିଛି ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଚନ୍ନି କହିଛନ୍ତି କି ଶେଷ ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ପରିବର୍ତ୍ତନ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ହେଲିକପ୍ଟରରେ ଯିବାର ଥିବା ବେଳେ ହଠାତ ସେ ସଡକ ମାର୍ଗରେ ଯିବାକୁ ନିଷ୍ପତ୍ତି ନେଇଥିଲେ । ଏଥିରେ ପୋଲିସର କୌଣସି ଭୁଲ ନଥିବା କଥା ଚନ୍ନି କହିଛନ୍ତି । ଅନ୍ୟପଟେ ଯେଉଁଠାରେ କୃଷକମାନେ ଧାରଣାରେ ବସିଥିଲେ ତାର ୧ କିଲୋମିଟର ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଗାଡିକୁ ଅଟକାଇ ଦିଆଯାଇଥିଲା । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଜୀବନପ୍ରତି କେଉଁଠୁ ବିପଦ ଆସିଲା ବୋଲି ଚନ୍ନି ବିଜେପିକୁ ପ୍ରଶ୍ନ କରିଛନ୍ତି ।

ଚନ୍ନି ଆହୁରି କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବିଫଳତା ହେଉଛି କେନ୍ଦ୍ରୀୟ ଏଜେନ୍ସି ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ଏସପିଜିର ବିଫଳତା ଅଟ । ସେ ଦାବି କରିଛନ୍ତି କି ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ପ୍ରସ୍ତୁତିକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ମାତ୍ର ହଠାତ ସକାଳେ ୧୦-୧୨ ଜଣ ଲୋକ ପାଖ ଗାଁରୁ ଆସି ରାସ୍ତା ଉପରେ ଧାରଣାରେ ବସିଥିଲେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଯେଉଁ ରାସ୍ତା ଦେଇ ଆସୁଥିଲେ ତାହା ବିଏସଏଫର ଅଧିକାର କ୍ଷେତ୍ର ହୋଇଥିବାରୁ ସୁରକ୍ଷାରେ ଦୁର୍ବଳତା ନେଇ ରାଜ୍ୟ ପୋଲିସ ଦାୟୀ ନୁହେଁ ।