କନକ ବ୍ୟୁରୋ: ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା । ଏନେଇ ସଂଧ୍ୟାରେ ବସୁଛି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏଥିରେ ଦଳର ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇପାରନ୍ତି । ଦଳର ଅନ୍ୟ ବରିଷ୍ଠ ନେତାମାନେ ବି ସାମିଲ ହେବେ । ଏଥିରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ବିଭିନ୍ନ ଦିଗରୁ ଆଲୋଚନା କରାଯିବ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ । ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ୧୫୦ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବାର ସମ୍ଭାବନା ରହିଛି ।

ମାର୍ଚ୍ଚ ୨ରେ ବିଜେପି ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା । ପ୍ରଥମ ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ରହିଥିଲା । ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନମଣ୍ଡଳୀ ପାଇଁ ତାଲିକା ଥିଲା । ତେବେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଉପରେ ଓଡ଼ିଶାର ବି ନଜର ରହିବ । କାରଣ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର କୌଣସି ଆସନ ସ୍ଥାନ ପାଇନଥିଲା । ତେଣୁ ଦ୍ୱିତୀୟ ତାଲିକାରେ କେଉଁ କେଉଁ ରାଜ୍ୟର ଆସନ ରହୁଛି, ଓଡ଼ିଶାର ଆସନ ଏଥିରେ ସାମିଲ ହେଉଛି କି ନାହିଁ, ତାହା ଉପରେ ରାଜନୀତି ସମୀକ୍ଷକଙ୍କ ନଜର ରହିବ ।