ଘରକୁ ନେଇ ତେଜିଲା ବିଜେଡି-ବିଜେପି କଳି: ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥିବା ଅଭିଯୋଗରେ ବିଜେପିର ବିକ୍ଷୋଭ

213

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ଭାବ୍ୟ ହିତାଧିକାରୀ ତାଲିକାକୁ ନେଇ ଗାଁ ଗାଁରେ ଅସନ୍ତୋଷ ଓ ବିରୋଧୀ ଦଳଙ୍କ ହୋହଲ୍ଲା ବଢ଼ି ବଢ଼ି ଚାଲିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଲୋକ ପଂଚାୟତ ଓ ବ୍ଲକ କାର୍ଯ୍ୟାଳୟର ଫାଟକରେ ତାଲା ପକାଇବାର ଦୃଶ୍ୟ ସାମନାକୁ ଆସିବାରେ ଲାଗିଛି । ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଥିବାବେଳେ, ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ବିଭିନ୍ନ ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ଦିଆଯାଇଛି । ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବା ସହ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରାଯିବାକୁ ଦାବି କରିାଯାଇଛି ।

ଗାଁ ଗାଁରେ ଘର କଳି ବଢ଼ୁଥିବାବେଳେଳ, ରାଜନୀତି ତେଜୁଥିବାବେଳେ, କେନ୍ଦ୍ରକୁ ଦୋଷ ଦେଇଛି ଶାସକ ଦଳ ବିଜେଡି । ଆଉ ପ୍ରେସମିଟ୍ କରି ଦଳ ପକ୍ଷରୁ ବଡ ଘୋଷଣା କରାଯାଇଛି ।

ତାଲିକାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରି ଆସୁଥିବାବେଳେ. ଓଡିଶାରୁ ନିର୍ବାଚିତ ହୋଇ ଦିଲ୍ଲୀ ଯାଇଥିବା ବିଜେପି ସାଂସଦ ଓ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛି ବିଜେଡି । ଦଳ ପକ୍ଷରୁ ପ୍ରେସମିଟ୍ କରି କୁହାଯାଇଛି, ମୁଣ୍ଡ ଉପରେ ଛାତ ପ୍ରତି ଲୋକର ଆବଶ୍ୟକତା, କିନ୍ତୁ ସେମାନଙ୍କୁ ମିଳୁନାହିଁ । ଓଡିଶାର ଆବଶ୍ୟକ ୧୫ଲକ୍ଷ ଘର । ଷଡଯନ୍ତ୍ର କରି ବିଜେପି ସାଂସଦମାନେ କେନ୍ଦ୍ରରେ କହି ମାତ୍ର ୮ଲକ୍ଷ ଘର ଦେଲେ, ଆଉ ସବୁ ଅଟକେଇ ଦେଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥାଏ । ଓଡିଶାକୁ ଆଉ ଘର ନଦେବାକୁ ଭିତିରିଆ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । କିନ୍ତୁ କେନ୍ଦ୍ର ଘର ନଦେଲେ ଓଡି଼ଶାର ଯୋଗ୍ୟ ହିତାଧିକାରୀଙ୍କୁ ୧୫ଲକ୍ଷ ଘର ଦେବେ ମୁଖ୍ୟମନ୍ତ୍ରୀ । ଯାହାର ଜବାବ ରଖିଛି ବିଜେପି । ବିଜେପି ସାଧାରଣ ସମ୍ପାଦକ କହିଛନ୍ତି, ଭୁଲକୁ ଲୁଚାଇବା ପାଇଁ ପୁଣି ମିଛ କହୁଛି ଶାସକ ଦଳ । ରାଜ୍ୟ ସରକାର ଯେତିକି ଘର ମାଗିଥିଲେ ତାଠାରୁ ଅଧିକ ଘର ଦିଆଯାଇଛି । ଯଦି ନିଜ ପାଂଠିରୁ ଗରିବଙ୍କୁ ଘର ଦେବାର ଥିଲା ଏପର୍ଯ୍ୟନ୍ତ କାହିଁକି ଦେଇନଥିଲେ?

ଆବାସ ଘର ତାଲିକାକୁ ନେଇ ବିଜେଡି-ବିଜେପି ରାଜନୀତି କେତେ ଦିନ ଚାଲିବ ତାହା କହି ହେବ ନାହିଁ । ହୁଏତ ଆଗାମି ନିର୍ବାଚନ ପର୍ଯ୍ୟନ୍ତ ବି ଚାଲିପାରେ । ହେଲେ, ଏବେ ପ୍ରଶ୍ନ ଉଠୁଛି, କିଏ କହୁଛି ସତ, ବିଜେପି ନା ବିଜେଡି? ରାଜ୍ୟ ସରକାର ପ୍ରକୃତରେ କେନ୍ଦ୍ରକୁ କେତେ ଘର ମାଗିଥିଲେ? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁମାନେ ଘର ପାଇବାକୁ ଯୋଗ୍ୟ ସେମାନଙ୍କୁ କେବେ ମିଳିବ ଘର?