ସମ୍ବାଦରେ ଇଓଡବ୍ଲୁ ରେଡ୍ ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେପି : ପୃଥ୍ୱୀରାଜ ହରିଚନ୍ଦନ କହିଲେ, ପ୍ରତିହିଂସା ପରାୟଣ ବନ୍ଦ କରନ୍ତୁ ସରକାର

102

କନକ ବ୍ୟୁରୋ : ସମ୍ବାଦରେ ଇଓଡବ୍ଲୁ ରେଡ୍ ନେଇ ବିଜେପିର ପ୍ରତିକ୍ରିୟା । ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଗଣମାଧ୍ୟମର କଣ୍ଠରୋଧ କରାଯାଇପାରିବ ନାହିଁ । ସମ୍ପାଦକୀୟ ଲେଖାକୁ ଆଧାର କରି ରେଡ୍ କରିବା ଠିକ୍ ନୁହେଁ । ସରକାର ନିଜକୁ ବଞ୍ଚାଇବାକୁ ନୂଆ ନାଟକ କରୁଛନ୍ତି । ପ୍ରତିହିଂସା ପରାୟଣ ବନ୍ଦ କରନ୍ତୁ ରାଜ୍ୟ ସରକାର । ସମାଲୋଚନା ସହିପାରୁନଥିବା ସରକାର, ଏକଛତ୍ରବାଦୀ ସରକାର । ଏକଛତ୍ରବାଦୀ ମନୋବୃତ୍ତି ପ୍ରତ୍ୟାହାର କରନ୍ତୁ । ଏକଛତ୍ରବାଦ ବିରୋଧରେ ସ୍ୱର ଉତ୍ତୋଳନ କରାଯିବ । ରେଡ୍ କରିବା ଅର୍ଥ ଆମ ସରକାର ବିରୋଧରେ କେହି କହିପାରିବେନି । ଜଗନ୍ନାଥଙ୍କ ମାଟିରେ ଏହାକୁ ବରଦାସ୍ତ କରାଯିବନି । ଜରୁରୀକାଳୀନ ସ୍ଥିତିର ଫେଜ୍-୨ କହିଲେ ଅତ୍ୟୁକ୍ତି ହେବ ନାହିଁ । କୌଣସି ରାଜନୈତିକ ଦଳ ଚୁପ୍ ବସିବେ ନାହିଁ ।

ଗତ କିଛି ମାସରେ ରାଜ୍ୟ ଶାସନ ବ୍ୟବସ୍ଥାରେ ବିରାଟ ବିଭ୍ରାଟ ଦେଖାଦେଇଛି । ‘ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ’ ବୋଲି ଏକ ଘୋଷା ଧାଡ଼ିକୁ ବ୍ୟବହାର କରି ୫-ଟି ସଚିବ ଭି କେ ପାଣ୍ଡିଆନ୍‌ ଅଭିଯୋଗ ଶୁଣାଣି ନାଁରେ ସାରା ରାଜ୍ୟ ବୁଲୁଛନ୍ତି । ସବୁଠି ମନ୍ତ୍ରୀ, ବିଧାୟକମାନେ ଆୟୋଜନ କରୁଛନ୍ତି ଓ ୫-ଟି ସଚିବ ମଞ୍ଚରେ ଏକା ଠିଆ ହୋଇ ଭାଷଣ ଦେଉଛନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ସରକାରୀ ଅଧିକାରୀଙ୍କ ପାଇଁ ଏମିତି ବ୍ୟୟବହୁଳ ଆୟୋଜନର ବିରଳ ଦୃଶ୍ୟ କେବଳ ଓଡ଼ିଶାରେ ହିଁ ଦେଖିବାକୁ ମିଳୁଛି । ଏମିତି କାର୍ଯ୍ୟକ୍ରମ ଓ ଅଭିଯୋଗ ଶୁଣାଣିର ଯଥାର୍ଥତା ନେଇ ‘ସମ୍ପାଦକୀୟ’ ମାଧ୍ୟମରେ ପ୍ରଶ୍ନ ଉଠାଇଥିଲେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । ସିଧାସଳଖ ପଚାରିଥିଲେ, ଗଣତାନ୍ତ୍ରିକ ମୂଲ୍ୟବୋଧକୁ କାହିଁକି ନଷ୍ଟ କରାଯାଉଛି ? ସଚିବ ବଡ଼ ନା ମନ୍ତ୍ରୀ/ବିଧାୟକ ? ‘ସମ୍ବାଦ’ରେ ଏହା ବି ପଚରାଯାଇଥିଲା, ପାଣ୍ଡିଆନ୍‌ଙ୍କ ହେଲିକପ୍ଟର୍ ଖର୍ଚ୍ଚ କିଏ ଦେଉଛି ?

ସୌମ୍ୟରଞ୍ଜନଙ୍କ ପ୍ରଶ୍ନର ଉତ୍ତର ଏ ଯାଏ ନା ୫-ଟି ସଚିବ ଦେଉଛନ୍ତି ନା ଶାସକ ଦଳ। କିନ୍ତୁ ‘ସମ୍ବାଦ’ର ସ୍ବର ଚାପିଦେବା ପାଇଁ ପୂରା ସରକାରୀ କଳକୁ ଲଗାଇ ଦିଆଯାଇଛି । ଗତ ତିନି ଦିନ ହେଲା ସରକାରୀ କଳ, ବଳ, କୌଶଳ ‘ସମ୍ବାଦ’ ପଛରେ ପଡ଼ିଯାଇଛି । ୫-ଟି ସଚିବଙ୍କ ପାଖ ଲୋକଙ୍କ ମାଲିକାନାରେ ଥିବା ଖବରକାଗଜ ‘ସକାଳ’ର ଜଣେ କର୍ମଚାରୀଙ୍କୁ ଲଗାଇ ଇଓଡବ୍ଲ୍ୟୁରେ ଏତଲା ଦିଆଗଲା । ୧୪ ବର୍ଷ ତଳେ ସଂପୃକ୍ତ କର୍ମଚାରୀ ବ୍ୟାଙ୍କରୁ ଉଠାଇଥିବା ଏକ ଋଣକୁ, ଯାହା କି ସୁଝାସରିଛି ତାକୁ ନେଇ ଏହି ମାମଲା କରାଯାଇଛି । ଏହି ମାମଲାକୁ ଭିତ୍ତି କରି ଗତକାଲି ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ରଙ୍କୁ ଇଓଡବ୍ଲ୍ୟୁକୁ ଡାକି ପଚରା ଉଚୁରା କରାଯାଇଥିଲା । ସିଧାସଳଖ ୧୧ ଜଣ ଇଓଡବ୍ଲ୍ୟୁ ଅଧିକାରୀ ‘ସମ୍ବାଦ ଭବନ’ରେ ପହଞ୍ଚିଥିଲେ। ‘ସମ୍ବାଦ’ର ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କୁ ପଚରାଉଚରା କରିଥିଲେ। ପାଖାପାଖି ୭ ଘଣ୍ଟା ଧରି ଏହି ଅଧିକାରୀମାନେ ‘ସମ୍ବାଦ ଭବନ’ରେ ରହିଥିଲେ । ଶ୍ରୀମତୀ କର ତଦନ୍ତରେ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଇଓଡବ୍ଲ୍ୟୁ ଅଧିକାରୀମାନେ ‌ଯାହା କାଗଜପତ୍ର ମାଗିଥିଲେ ‌ତାହା ଯୋଗାଇ ଦିଆଯାଇଥିଲା ।