ବିଜେପିର ସମରସଜ୍ଜା ! ଓଡିଶା ଆସୁଛନ୍ତି ମୋଦି, ଅମିତ ଶାହଙ୍କ ସହ ତୁଙ୍ଗ ନେତା

64

କନକ ବ୍ୟୁରୋ : ପଂଚାୟତ ସଫଳତା ପରେ ଟାର୍ଗେଟ୍ ୨୦୧୯ ନିର୍ବାଚନ । ଓଡିଶାରେ ବିଜେପିର କ୍ଷମତା ଦଖଲ ଅଭିଯାନ । ଭୁବନେଶ୍ୱରକୁ ଆସିବ ଦିଲ୍ଲୀ । ରାଜଧାନୀରେ ବିଜେପିର ସବୁଠାରୁ ବଡ ମଂଚ । ଏପ୍ରିଲ ୧୫ ଓ ୧୬ରେ ଦଳର ଜାତୀୟ କାର୍ଯ୍ୟକାରିଣୀ । ଦୁଇ ଦିନ ଧରି ହେବ ମାନସମନ୍ଥନ । ତିଆରି ହେବ ରଣନୀତି, ପ୍ରସ୍ତୁତ ହେବ ରୋଡମ୍ୟାପ ।

ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଖାଲି ଏତିକି ନୁହେଁ, ଦଳର ମାର୍ଗଦର୍ଶକ, ତମାମ କେନ୍ଦ୍ରମନ୍ତ୍ରୀ ଆଉ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ସାମିଲ । ବଡ କଥା ହେଉଛି, ୟୁପି ଦଖଲ ପରେ ଏବେ କେନ୍ଦ୍ର ବିଜେପିର ଫୋକସରେ ଓଡିଶା, କାରଣ ଦେଶର ସବୁଠାରୁ ବଡ ପ୍ରଦେଶରେ ବାଜିମାତ କରି ମୋଦି ଓଡିଶା ମୁହାଁ ।

ଓଡ଼ିଶାରେ ଜାତୀୟ କାର୍ଯ୍ୟକାରିଣୀ, ହେଲେ ଟାର୍ଗେଟ ୨୦୧୯ । ଉଦ୍ଦେଶ୍ୟ ପୂର୍ବ ଭାରତର ପ୍ରମୁଖ ରାଜ୍ୟ ଦଖଲ କରିବା । ନୁଆ ନୂଆ ଅଂଚଳରେ ପ୍ରବେଶ କରି ପଦ୍ମ ଫୁଟାଇବା । ପଂଚାୟତ ନିର୍ବାଚନରେ ସଫଳତା ପରେ ବିଜେପିର ଜାତୀୟ ମାନଚିତ୍ରରେ ଓଡ଼ିଶାର ଗୁରୁତ୍ୱ ବଢିଛି । ନବୀନ ସରକାରକୁ ହଟାଇ ଓଡ଼ିଶାରେ କ୍ଷମତା ହାସଲ ପାଇଁ ଆରମ୍ଭ ହୋଇଛି ଅଭିଯାନ ।

ତୃଣମୂଳ ସ୍ତରରେ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ବିଜେପି କେନ୍ଦ୍ର ନେତୃବୃନ୍ଦ ଲକ୍ଷ୍ୟ ରଖିଛନ୍ତି । ବିଜେଡି କହିଛି, ଓଡିଶାରେ ପଡିବନି, ବିଜେପିର କାର୍ଯ୍ୟକାରିଣୀର ପ୍ରଭାବ । ପଂଚାୟତ ନିର୍ବାଚନ ଫଳାଫଳ ନେଇ ଦଳ ଉଲ୍ଲସିତ ନହୋଇ ଆତ୍ମସମୀକ୍ଷା କରିବା ଉଚିତ ।

ବଡ କଥା ହେଉଛି, ୨୦୧୯ରେ ସାଧାରଣ ନିର୍ବାଚନ । ଆଉ ତାର ଠିକ ଆଗରୁ ଓଡିଶାରେ ବସୁଛି ଜାତୀୟ କାର୍ଯ୍ୟକାରିଣୀ । ନବୀନ ସରକାର ବିରୋଧରେ ଆହ୍ୱାନ ଦେଇ ଅମିତ ଯାଇଥିଲେ ଗତ ନଭେମ୍ବରରେ । ବିଜେଡିକୁ ଉପାଡି ଫିଙ୍ଗିଦେବାକୁ ଦେଇଥିଲେ ଆହ୍ୱାନ ।

ଆଉ ଏହା ପରେ ସବୁଠାରୁ ବଡ ବୈଠକ ବସିବ ରାଜଧାନୀରେ । ଯେଉଁଠି ଦଳ ନୂଆ ରଣନୀତି ସହ ଓହ୍ଲାଇବ ଯୁଦ୍ଧକ୍ଷେତ୍ରକୁ ଅର୍ଥାତ୍ ୨୦୧୯ ନିର୍ବାଚନୀ ମୈଦାନକୁ । ଦୁଇ ଦିନ ଧରି ଭୁବନେଶ୍ୱରରେ ରହିବେ ତମାମ ତୁଙ୍ଗ ନେତା । ଚର୍ଚ୍ଚା ହେଉଛି, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ହିଁ ପଡିବ ଓଡିଶାରେ କ୍ଷମତା ଦଖଲର ମୂଳଦୂଆ ।