ଓଡିଶାରେ ବିଜେପିର ମିଶନ ୨୪’। ୧ କୋଟି ୩୦ ଲକ୍ଷ ଭୋଟ୍ ପାଇଁ ପ୍ଲାନ୍।

226

କନକ ବ୍ୟୁରୋ: ପରୀକ୍ଷା ପୂର୍ବରୁ ଫଳାଫଳକୁ ନେଇ ଲକ୍ଷ୍ୟ ସ୍ଥିର କରିଛି ବିଜେପି । ବିଶେଷକରି ଓଡିଶାରେ ପୂର୍ବ ଅପେକ୍ଷା କେମିତି ଅଧିକ ଲୋକସଭା ଆସନ ଜିତିବ ସେଥିପାଇଁ ର୍ଟାର୍ଗେଟ ଫିକ୍ସ କରିଛି ଭାରତୀୟ ଜନତା ପାର୍ଟି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛି ଏହି କେନ୍ଦ୍ରୀୟ ଦଳ । ୨୦୧୯ ସାଧାରଣ ନିର୍ବାଚନରେ ୮ଟି ସିଟରେ ବିଜୟ ଲାଭ କରିଥିବା ଦଳ ୨୦୨୪ ପାଇଁ ୧୮ଟି ଆସନ ଉପରେ ଆଖି ରଖିଛି । ୨୦୧୯ ରେ ଯେଉଁସବୁ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳ ଦ୍ୱିତୀୟ ସ୍ଥାନରେ ରହିଥିଲା, ସେ ସବୁକୁ ଅଧିକ ଫୋକସରେ ରଖିଛି । ୧୨ଟି ନିର୍ବାଚନ ମଣ୍ଡଳୀକୁ ୬ଭାଗ କରି ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ଆରମ୍ଭ କରିଛି । ତିନିଥାକିଆ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତୃତ୍ୱ ଏବଂ ସାଙ୍ଗଠନିକ ଦୃଷ୍ଟିକୋଣରୁ କାର୍ଯ୍ୟକ୍ରମ ଚାଲିଛି । କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକର ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ତୃଣମୂଳ ସ୍ତରରୁ ଦଳର ସାଙ୍ଗଠନିକ ଦକ୍ଷତା ବଢାଇବା ଭଳି କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି । ତେବେ ରାଜ୍ୟରେ ବିଜେଡିକୁ ଟକ୍କର ଦେଲା ଭଳି ସ୍ଥିତିରେ ବିଜେପି ନାହିଁ ବୋଲି କହିଛନ୍ତି ରାଜନନୈତିକ ବିଶେଷଜ୍ଞ ।

ଦେଶରେ ତୃତୀୟ ଥର କ୍ଷମତାକୁ ଆସିବା ପାଇଁ, ୨୦୨୪ ସାଧାରଣ ନିର୍ବାଚନରେ ୩୫ କୋଟି ଭୋଟ ପାଇବାକୁ ଯୋଜନା କରିଛି ବିଜେପି । ଯେତେବେଳେ କି ୨୦୧୯ରେ ସାରାଦେଶରେ ବିଜେପିକୁ ମୋଟ ୨୨କୋଟି ୨୯ ଲକ୍ଷ ଭୋଟ ମିଳିଥିଲା । ସେହିପରି ୨୦୧୯ରେ ୩୦୩ ଆସନରେ ବିଜୟୀ ହୋଇଥିବା ବିଜେପି, ୩୫୦ ଲୋକସଭା ଆସନ ବିଜୟର ଲକ୍ଷ୍ୟ ନେଇ ଆଗଉଛି ।

ଗତ ନିର୍ବାଚନରେ ରାଜ୍ୟର ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ୧୨ଟିରେ ବିଜୟଲାଭ କରିଥିଲା । ୮ଟି ଆସନରେ ବିଜୟୀ ହୋଇଥିଲା ବିଜେପି । ହେଲେ, ଭୋଟ ପ୍ରତିଶତ ଦେଖିଲେ ବିଜେଡିଠାରୁ ବିଜେପିର ବ୍ୟବଧାନ ବହୁତ କମ ଥିଲା । ବିଜେଡି ୪୨.୮ ପ୍ରତିଶତ ପାଇଥିଲାବେଳେ ୩୮.୪ ପ୍ରତିଶତ ଭୋଟ ହାତେଇଥିଲା ବିଜେପି ।