ବିଜେପିର ମିଶନ ୩୭୦ । କଟିପାରେ ୭୦ରୁ ୮୦ ସାଂସଦଙ୍କ ଟିକେଟ୍ । ଗୁରୁତ୍ୱପୂର୍ଣ୍ମ ବୈଠକରେ ମୋଦୀଙ୍କ ମାନସ ମନ୍ଥନ ।

110

କନକ ବ୍ୟୁରୋ: ମିଶନ ୩୭୦ ପାଇଁ ବିଜେପିର ବଡ଼ ପ୍ଲାନ । ଲୋକସଭା ନିର୍ବାଚନ ପାଇଁ କାହାକୁ ମିଳିବ ଟିକେଟ ସେ ନେଇ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ହୋଇଛି ତାଲିକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୪ ଘଂଟା ବୈଠକ ପରେ ଆଶାୟୀ ପ୍ରାର୍ଥୀଙ୍କ ପ୍ରଥମ ତାଲିକାର ନାଁ ପ୍ରାୟତଃ ଚୂଡ଼ାନ୍ତ ହୋଇସାରିଥିବା ସୂଚନା ମିଳିଛି । ତେବେ ଏହାରି ଭିଡ଼ରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

୨୦୨୪ ନିର୍ବାଚନରେ ପ୍ରାୟ ୭୦ ସାଂସଦଙ୍କ ଟିକେଟ କଟିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଗତ ଦୁଇ ବର୍ଷ ହେବ ସାଂସଦ ମାନଙ୍କୁ ସେମାନଙ୍କ କାର୍ଯ୍ୟର ରିପୋର୍ଟ ମଗାଯାଇଥିଲା । ଯେଉଁଥିରେ ସେମାନେ ନିଜ ସଂସଦୀୟ କ୍ଷେତ୍ରରେ କରିଥିବା ବିକାଶମୂଳକ କାର୍ଯ୍ୟର ରିପୋର୍ଟ ପ୍ରଦାନ କରିଥିଲେ । ଆଉ ଏହି ରିପୋର୍ଟ ଆଧାରରେ ହିଁ ପ୍ରାର୍ଥୀଙ୍କୁ ଟିକେଟ ମିଳିବ ବୋଲି ଜଣାପଡ଼ିଛି । ଯେଉଁ ସାଂସଦଙ୍କ ପ୍ରଦର୍ଶନ ଭଲ ନାହିଁ ସେମାନଙ୍କ ଟିକେଟ କଟିବା ନେଇ ଚର୍ଚ୍ଚା ହେଉଛି । ତେବେ ଓବିସି ସାଂସଦଙ୍କ ଟିକେଟ ସୁରକ୍ଷିତ ରହିପାରେ । ୨୦୧୯ ନିର୍ବାଚନରେ ବିଜେପି ବିଜୟୀ ହୋଇଥିବା ୩୦୩ ଆସନରୁ ୮୫ ଜଣ ଓବିସି ବର୍ଗୀ ସାଂସଦ ଥିଲେ । ନମୋ ଆପରେ ସାଂସଦଙ୍କ ସମ୍ପର୍କରେ ଲୋକଙ୍କଠାରୁ ମତାମତ ଲୋଡ଼ିଥିଲା ଦଳ । ଏଥିରେ ନିଜ ନିର୍ବାଚନ ମଣ୍ଡଳୀର ୩ ଜଣ ଦାବିଦାର ପ୍ରାର୍ଥୀଙ୍କ ନାମ ଜଣାଇବାକୁ ଅପିଲ କରାଯାଇଥିଲା । ଆଜି କିମ୍ବା ଆସନ୍ତାକାଲି ପ୍ରକାଶ ପାଇପାରେ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ।