କନକ ବ୍ୟୁରୋ: ଆଜି ଘୋଷଣା ହୋଇପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । କିଏ କେଉଁଠୁ ଲଢିବେ ହେବ ସ୍ପଷ୍ଟ । ସବୁ ଆସନରେ ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦଳ ଗୋଟିଏ ବି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ଦଳଡିଆଁ ପର୍ବ ଚାଲିଥିବାରୁ ଅନେକ ନେତା ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି । ବିଶେଷକରି ବିଜେପିରେ ବହୁ ବିଜେଡି ନେତା ସାମିଲ ହୋଇଛନ୍ତି । ଯେଉଁଥିପାଇଁ ଦଳ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବା କୁହାଯାଉଛି । କିନ୍ତୁ ନିର୍ବାଚନ ପାଖେଇ ଆସୁଥିବାରୁ ଆଜି କିଛି ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିପାରେ ଦଳ ।

Advertisment

ସେପଟେ ବିଜେଡି ମଧ୍ୟ ଜାରି କରିପାରେ ଅବଶିଷ୍ଟ ପ୍ରାର୍ଥୀ ତାଲିକା । ୭୨ ବିଧାନସଭା ପ୍ରାର୍ଥୀଙ୍କ ନାମ ଦଳ ଘୋଷଣା କରିସାରିଛି । ବାକି ୭୫ ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଏକପ୍ରକାର ଶେଷ ହୋଇଥିବା କୁହାଯାଉଛି । ଖୁବଶୀଘ୍ର ବିଜେଡି ବାକି ଆସନରେ ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ମିଳିଛି ।

ବିଜେପି-ବିଜେଡି ତୁଳନାରେ ପଛରେ ପଡିଯାଇଛି କଂଗ୍ରେସ । ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ଏପର୍ଯ୍ୟନ୍ତ ଗୋଟିଏ ବି ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ତେବେ ପ୍ରାର୍ଥୀ ଚୟନ ନେଇ ଗତକାଲି ଦିଲ୍ଲୀ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଓଡ଼ିଶା କଂଗ୍ରେସର ମୁଖ୍ୟ ନେତାଙ୍କ ଆଲୋଚନା ଶେଷ ହୋଇଛି । ତେବେ ଖୁବଶୀଘ୍ର କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ସୂଚନା ମଳିଛି ।