ବିଜେପି ସାଂସଦଙ୍କୁ ହ୍ୱିପ୍ ଜାରି । ସଂସଦରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ, ବଡ଼ ବିଲ୍ ଆଣିପାରନ୍ତି ମୋଦି ସରକାର?

1,518

କନକ ବ୍ୟୁରୋ: ସଂସଦରେ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଅନ୍ତିମ ଦିନରେ କିଛି ବଡ଼ ଘୋଷଣା କରିବାକୁ ଯାଉଛନ୍ତି ସରକାର । ଏପଟେ ଦିଲ୍ଲୀ ନିର୍ବାଚନ ଫଳାଫଳ ସ୍ପଷ୍ଟ ହେଉଥିବାବେଳେ ସଂସଦରେ ପୁଣି ମୋଦି ସରକାର କିଛି ବଡ଼ ବିଲ୍ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ରାଜ୍ୟସଭାର ସବୁ ସାଂସଦଙ୍କୁ ହ୍ୱିପ୍ ଜାରି କରି ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି ଦଳ ।

ବିଜେପି ସାଂସଦଙ୍କୁ ଜାରି ହୋଇଥିବା ହ୍ୱିପ୍ ରେ କହୁଯାଇଛି, ଯେ, ବିଜେପିର ସବୁ ରାଜ୍ୟସଭା ସାଂସଦଙ୍କୁ ସୂଚୀତ କରାଯାଉଛି ଯେ ମଙ୍ଗଳବାର ଗୃହରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଦିବସ ଉପରେ ଚର୍ଚ୍ଚା ଏବଂ ବିଲ ପାସ କରିବା ଲାଗି ଅଣାଯିବ । ତେଣୁ ବିଜେପିର ସବୁ ସାଂସଦଙ୍କୁ ଗୃହରେ ଉପସ୍ଥିତ ରହି ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିବାକୁ ଏହି ହ୍ୱିପ୍ ରେ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗତକାଲି ବିଳମ୍ବିତ ରାତ୍ରିରେ ବିଜେପି ଜାରି କରିଥିବା ହ୍ୱିପ୍ ପରଠୁ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

ଖାସ୍ କରି ୩୭୦, ରାମମନ୍ଦିର ଏବଂ ଏନଆରସି, ସିଏଏ ଭଳି ବିଭିନ୍ନ ବିଲକୁ ମୋଦି ସରକାର ପାରିତ କରିବା ପରେ ଏବେ ୟୁନିଫର୍ମ ସିଭିଲ୍ କୋଡ୍ ବିଲ୍ କୁ ଆଣିପାରନ୍ତି ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । କେବଳ ଏତିକି ନୁହେଁ ଦଳର ୨୦୧୯ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଭାବେ ଦେଇଥିବା ଅନେକ ବିଲ୍ କୁ ପାରିତ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି ।