କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନକୁ ଆଖିରେ ରଖି ଏବେଠୁ ଗୋଟି ଚଳାଇଛି ବିଜେପି । ଉତରପ୍ରଦେଶ ଭଳି ବଡ ରାଜ୍ୟରେ ଲଗାତାର ଦୁଇ ଥର ବିଜେପି ସରକାର ଗଠନ ପଛରେ ପ୍ରମୁଖ ଭୂମିକା ଥିବା ସୁନୀଲ ବଂଶଲଙ୍କୁ ୩ ରାଜ୍ୟର ପ୍ରଭାରୀ କରିଛି ବିଜେପି । ଦୀର୍ଘ ସମୟ ଧରି ସରକାରରେ ନ ଥିବା ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଓଡ଼ିଶାର ଦାୟିତ୍ୱ ସୁନୀଲଙ୍କୁ ଦିଆଯାଇଛି । ଲୋକସଭା ନିର୍ବାଚନ ପୂର୍ବରୁ ୨୦୨୩ରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେଉଥିବାରୁ ସେଠାରେ ଦଳର ସ୍ଥିତି ମଜଭୁତ କରିବାକୁ ଲକ୍ଷ ରଖିଛି ବିଜେପି । ସେଥିପାଇଁ ଅମିତ ଶାହାଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ସୁନୀଲଙ୍କୁ ଗୁରୁ ଦାୟିତ୍ୱ ଦେଇଛି ବିଜେପି ।

Kanak News is now on WhatsApp
Join and get latest news updates delivered to you via WhatsApp
୨୦୨୪ରେ ପୁଣି ଥରେ କ୍ଷମତାକୁ ଆସିବାକୁ ହେଲେ ଏହି ତିନି ରାଜ୍ୟ ବିଜେପି ପାଇଁ ଗୁରୁତ୍ୱ ବହନ କରୁଛି । କାରଣ ଏହି ତିନି ରାଜ୍ୟରେ ଦୀର୍ଘ ସମୟ ଧରି ସରକାର ପରବର୍ତନ ହୋଇନଥିବାରୁ ସରକାର ବିରୋଧୀ ହାୱା ବଢିବାରେ ଲାଗିଛି । ଯାହା ଉପରେ ନଜର ରଖିଛି ବିଜେପି ।
ସୁନୀଲ ବଂଶଲ କିଏ ?
-ସୁନୀଶ ବଂଶଲ ରାଜନୈତିକ କ୍ୟାରିୟର ରାଜସ୍ଥାନରୁ ଆରମ୍ଭ କରିଥିଲେ
-ପ୍ରଥମେ ଏବିଭିପିର ଜଣେ ସଦସ୍ୟ ଥିଲେ ସୁନୀଲ
-ପରେ ସେ ବିଜେପି ରାଷ୍ଟ୍ରୀୟ ସହ ସଙ୍ଗଠନ ସମ୍ପାଦକ ନିଯୁକ୍ତ ହୋଇଥିଲେ
-ଏହା ପରେ ଉତ୍ତରପ୍ରଦେଶର ସଙ୍ଗଠନର ସାଧାରଣ ସମ୍ପାଦକ ହୋଇଥିଲେ
-ଆରଏସ୍ଏସ୍ ସହ ତାଙ୍କର ରହିଛି ଭଲ ସମ୍ପର୍କ
ଉତ୍ତରପ୍ରଦେଶରେ କ’ଣ ଥିଲା ସୁନୀଲଙ୍କ ଭୂମିକା ?
-ଉତ୍ତରପ୍ରଦେଶର ସଙ୍ଗଠନ ମନ୍ତ୍ରୀ ଭାବେ ପରିଚିତ ଥିଲେ ସୁନୀଲ
– ଆରଏସ୍ଏସ୍ ଏବଂ ୟୁପି ବିଜେପି ସରକାର ମଧ୍ୟରେ ମଧ୍ୟସ୍ତି ଥିଲେ ସୁନୀଲ
-୨୦୧୪ ନିର୍ବାଚନ ପୂର୍ବରୁ ସୁନୀଲଙ୍କୁ ଅମିତ ଶାହା ୟୁପି ଆଣିଥିଲେ
-ସେତେବେଳେ ୟୁପି ବିଜେପି ସଭାପତି ଏବଂ ସଙ୍ଗଠନର ସାଧାରଣ ସମ୍ପାଦକ ମଧ୍ୟରେ ଚାଲିଥିବା ବିବାଦର ସମାଧାନ କରିଥିଲେ ସୁନୀଲ
-ଏବଂ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୮୦ ରୁ ୭୧ଟି ଆସନ ଜିତିଥିଲା
-ପରେ ୨୦୧୭ ଏବଂ ୨୦୨୨ରେ ୟୁପି ବିଧାନସଭା ନିର୍ବାଚନରେ ମଧ୍ୟ ସଫଳତା ପାଇଥିଲା ବିଜେପି
ବିଜେପିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିବା ସୁନୀଲ ବଂଶଲ ଆରଏସଏସର ପ୍ରଚାରକ ମଧ୍ୟ ଅଛନ୍ତି । ଏଥିସହ ଏବିଭିପି ସଙ୍ଗଠନ କାର୍ଯ୍ୟ ମଧ୍ୟ କରୁଛନ୍ତି । ତେବେ ସୁନୀଲ ଏହି ତିନି ରାଜ୍ୟରେ ବିଜେପିକୁ ମଜଭୁତ କରିବା ପାଇଁ କିଛି ବଡ ପଦକ୍ଷେପ ନେବେ ବୋଲି ଆଶାକରାଯାଉଛି ।