ମଧ୍ୟପ୍ରଦେଶ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର । ବିପିଏଲ କାର୍ଡଧାରୀଙ୍କୁ ୫ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ । ଲାଡଡି ଲକ୍ଷ୍ମୀ ଯୋଜନାରେ ଝିଅଙ୍କୁ ମିଳିବ ୨ଲକ୍ଷ ଟଙ୍କା

118

କନକ ବ୍ୟୁରୋ: ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଇସ୍ତାହାର ପତ୍ର ଜାରି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କୁଶଭାଓ ଠାକରେ ଅଡିଟୋରିୟମରେ ‘ମୋଦିଙ୍କ ଗ୍ୟାରେଣ୍ଟି ବିଜେପିର ଭରସା’ ଶୀର୍ଷକ ଇସ୍ତାହାର ପତ୍ରର ଉନ୍ମୋଚନ କରିଛନ୍ତି । ଇସ୍ତାହାରରେ ମାଗଣା ରାସନ ସହିତ ମୁଖ୍ୟମନ୍ତ୍ରୀ ଜନ ଆବାସ ଯୋଜନା କାର୍ଯ୍ୟକାରୀ କରିବା ନେଇ ପ୍ରତିଶ୍ରୁତି ଦେଇଛି ବିଜେପି । ୫ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ସମୟରେ ସମସ୍ତ ପରିବାରକୁ ମାଗଣା ରାସନ ସହିତ ରିହାତି ଦରରେ ଡାଲି, ସୋରିଷ ତେଲ ଓ ଚିନି ଯୋଗାଇ ଦିଆଯିବ । ମଧ୍ୟପ୍ରଦେଶରେ କୌଣସି ପରିବାର ବାସହୀନ ରହିବେ ନାହିଁ । ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ମୁଖ୍ୟମନ୍ତ୍ରୀ ଜନ ଆବାସ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଇସ୍ତାହାର ପତ୍ରରେ ଘୋଷଣା କରାଯାଇଛି । ଲାଡଲି ଯୋଜନାରେ ରାଜ୍ୟର ଯୁବତୀ ମାନଙ୍କୁ ଆର୍ଥିକ ସହାୟତା ଦେବା ସହ ଧାନ ଓ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ଯଥାକ୍ରମେ ୨୭୦୦ ଓ ୩୧୦୦ଟଙ୍କାକୁ ବୃଦ୍ଧି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ଦଳ ।