ଜାନୁଆରୀ ୨୨ରେ ଓଡିଶାରେ ଛୁଟି ଘୋଷଣା ପାଇଁ ବିଜେପିର ଦାବି । ଦିନକ ପାଇଁ ମଦ ଦୋକାନ ବନ୍ଦ ପାଇଁ ବି ଅନୁରୋଧ

170

କନକ ବ୍ୟୁରୋ: ଜାନୁଆରୀ ୨୨ ତାରିଖରେ ଛୁଟି ଘୋଷଣା କରନ୍ତୁ ରାଜ୍ୟ ସରକାର । ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ । ୫ଶହ ବର୍ଷର ସଂଘର୍ଷ ପରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଦେଶର ଅନେକ ରାଜ୍ୟରେ ସେହି ଦିନ ଛୁଟି ଘୋଷଣା କରାଯାଇଛି । ନିଶାଦ୍ରବ୍ୟ ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଛି ।ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ଅନ୍ୟ ରାଜ୍ୟ ଭଳି ଓଡିଶା ସରକାର ମଧ୍ୟ ଜାନୁଆରୀ ୨୨ ତାରିଖରେ ଛୁଟି ଘୋଷଣା କରିବେ । ଉକ୍ତ ଦିନକୁ ପୂର୍ଣ୍ଣ୍ୟ ଓ ପବିତ୍ର ଦିନ ଭାବେ ପାଳନ କରିବା ପାଇଁ ଆହ୍ୱାନ ଦେବା ସହ ନିଶାଦ୍ରବ୍ୟ ବିକ୍ରି ମଧ୍ୟ ବନ୍ଦ କରାନ୍ତୁ ବୋଲି ବିଜେପି ଦାବି କରିଛି ।

ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଆଉ ମାତ୍ର ୬ଦିନ । ଆଜିଠୁ ବିଜ୍ଞ ପଣ୍ଡିତଙ୍କ ମନ୍ତ୍ରଧ୍ୱନି ଏବଂ ପୂଜାର୍ଚ୍ଚନା ମଧ୍ୟରେ ପ୍ରାଣ ପ୍ରତିଷ୍ଠାର ପ୍ରାକ ପୂଜାବିଧି ଆରମ୍ଭ ହୋଇଛି । ୨୧ତାରିଖ ଯାଏ ରାମ ଲାଲାଙ୍କ ବିଭିନ୍ନ ଅଧିବାସ, ଜଳାଧିବାସ, ଶଯ୍ୟାବାସ ଔଷଧିବାସ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ୧୮ ତାରିଖରେ ଗର୍ଭଗୃହରେ ସ୍ଥାପନ ହେବ ରାମଲାଲାଙ୍କ ପ୍ରତିମୂର୍ତି ଏବଂ ୨୨ତାରିଖରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ୧୨ଟାରୁ ୧ଟା ମଧ୍ୟରେ ୪୦ମିନିଟ୍ ଧରି ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେଣୁ ସେ ଦିନ ରାଜ୍ୟରେ ଛୁଟି ଘୋଷଣା କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି ।