ସାରା ଦେଶରେ ସଭା କରି ବଜେଟ୍ ର ଲାଭ ଜଣାଇବ ବିଜେପି । ପ୍ରତି ସହରରେ ନେତା, ମନ୍ତ୍ରୀ କରିବେ ସାମ୍ବାଦିକ ସମ୍ମିଳନୀ

90

କନକ ବ୍ୟୁରୋ : କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାର ଫେବୃଆରୀ ୧ ତାରିଖରେ ୨୦୨୧-୨୨ ବର୍ଷ ପାଇଁ ୟୁନିୟନ ବଜେଟ୍ ଉପସ୍ଥାପନ କରିଛି । ହେଲେ ଏହାକୁ ନେଇ ବିରୋଧୀଦଳ ମାନେ କଟାକ୍ଷ କରିବା ପରେ ଏହାର ଲାଭ ଜଣାଇବାକୁ ଲୋକଙ୍କ ପାଖରେ ପହଂଚିବେ ବିଜେପିର ନେତା ଓ ମନ୍ତ୍ରୀ ମାନେ । ଏନେଇ ବିଜେପି ସାରା ଦେଶରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କେନ୍ଦ୍ରମନ୍ତ୍ରୀ ଓ ଦଳର ବରିଷ୍ଠ ନେତା ମାନଙ୍କୁ ବଜେଟର ଲାଭ ବାବଦରେ ବୁଝାଇବାକୁ ପ୍ରତି ରାଜ୍ୟର ରାଜଧାନୀ ଓ ବଡ ବଡ ସହର ମାନଙ୍କରେ ସାମ୍ବାଦିକ ସମ୍ମିଳନୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବଜେଟ୍ ଉପରେ ବିଜେପିର ଏହି ପ୍ରଚାର ଅଭିଯାନ ୬-୭ ଫେବୃଆରୀ ଓ ୧୩-୧୪ ଫେବୃଆରୀ ଦିନ ଅନୁଷ୍ଠିତ ହେବ । ୬-୭ ତାରିଖରେ ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀ ମାନେ ପ୍ରତି ରାଜ୍ୟର ରାଜଧାନୀ ରେ ସାମ୍ବାଦିକ ସମ୍ମିଳନୀ କରିବେ । ଏହି କାର୍ଯ୍ୟକ୍ରମରେ ଦେଶର ବୁଦ୍ଧିଜୀବୀ ମାନଙ୍କ ସହିତ ବିଜେପି ନେତା ଓ ମନ୍ତ୍ରୀ ମାନେ ଚର୍ଚ୍ଚା କରିବେ ବୋଲି ସୂଚନା ଦିଆଯାଇଛି । ଏହାସହ ଏଫଆଇସିସିଆଇ ଓ ଚ୍ୟାମ୍ବର ଅଫ୍ କମର୍ସ ସମେତ ଔଦ୍ଧଗିକ ଜଗତର ଲୋକମାନଙ୍କ ସହିତ ବି ଚର୍ଚ୍ଚା କାର୍ଯ୍ୟକ୍ରମ ରହିଛି ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ବିଜେପିର ସମସ୍ତ ସାଂସଦ ମାନଙ୍କୁ ୬-୭ ଓ ୧୩-୧୪ ଫେବୃଆରୀ ଦିନ ନିଜ ନିଜ ସଂସଦୀୟ କ୍ଷେତ୍ରରେ ରହି ଜନକଲ୍ୟାଣକାରୀ ବଜେଟ୍ ବାବଦରେ ଲୋକଙ୍କ ସହିତ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏହି ବଜେଟ୍ ର ଲାଭ ବାବଦରେ ସୋସିଆଲ ମିଡିଆ ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଂଚାଇବାକୁ ଲକ୍ଷ୍ୟ ରଖିଛି ଦଳ ।