କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କ ଜୋରଦାର ପ୍ରତିବାଦ ଜାରି ରହିଛି । ଆଜି ବିଜେପି ପକ୍ଷରୁ ୧୨ଘଂଟିଆ ଗଜପତି ବନ୍ଦ ପାଳନ କରାଯାଉଛି ।  ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ କରି ବିରୋଧୀ ଜୋରଦାର ପ୍ରତିବାଦ ଜାରି ରଖିଛନ୍ତି । ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରି ବନ୍ଦ ପାଳନ କରୁଛନ୍ତି ।

Advertisment

ସକାଳୁ ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ ସହ ନାରାବାଜି କରୁଥିବାର ପରିଲକ୍ଷିତ ହୋଇଛି । କେତେକ ସ୍ଥାନରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଆଜି ଗଜପତି ଜିଲ୍ଲାର ଅଧିକାଂଶ ଦୋକାନବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବ୍ୟାହତ ହୋଇଥିବା ଜଣାଯାଇଛି । ବନ୍ଦ ପାଳନ ସମୟରେ ଅତ୍ୟାବଶ୍ୟକୀୟ ସେବା, ଦୁଇ ଚକିଆ ଯାନ ଓ ପରୀକ୍ଷାର୍ଥୀଙ୍କୁ ବାଦ ଦିଆଯାଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ବନ୍ଦର ପ୍ରଭାବରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ପାରଳାଖେମୁଣ୍ଡି ବିଧାୟକ ତଥା ଭାଜପା ଜିଲ୍ଲା ସଭାପତି କେ. ନାରାୟଣ ରାଓଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନ କରାଯାଉ ଛି।

ବନ୍ଦ ପ୍ରଭାବରେ ଯାତ୍ରୀବାହୀ ଯାନବାହନ ସେବା ଠପ ହୋଇଯାଇଛି । ପେଟ୍ରୋଲ ପମ୍ପ , ବ୍ୟାବସାୟିକ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ, ଛୋଟ ବଡ଼ ଦୋକାନ ଇତ୍ୟାଦି ବନ୍ଦ ରହିଥିବା ବେଳେ ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି । ମମିତା ମେହେରଙ୍କ ହତ୍ୟାକାଣ୍ଡରେ କେପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ବିରୋଧ କରି ଭାଜପାର ବନ୍ଦ ଡାକରା ଗଜପତି ଜିଲ୍ଲାର କାଶୀନଗର ଏନଏସି , କାଶୀନଗର ବ୍ଲକ, ଗୁମ୍ମା ବ୍ଲକ, ଗୋଷାଣୀ ବ୍ଲକ, ରାୟଗଡ଼ ବ୍ଲକ, ନୂଆଗଡ଼ ବ୍ଲକ, ରା.ଉଦୟଗିରି ଏବଂ ମୋହନା ବ୍ଲକରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଛି । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ଦିଗରେ ପୁଲିସର ସଜାଗ ଥିବା ଦେଖିବାକୁ ମିଳିଛି ।