୨୫ ବର୍ଷ ବିଜେଡି ସରକାର ବିରୋଧରେ ବିଜେପି ଆଣିଲା ଚାର୍ଜସିଟ୍ ।  ବଖାଣିଲା ଶାସକ ଦଳର ଦୋଷ ଦୁର୍ବଳତା । ।

377

କନକ ବ୍ୟୁରୋ: ନିଜ ନିଜର ଆଜେଣ୍ଡା ନେଇ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ରାଜନୈତିକ ଦଳ । ଆଜି ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ପ୍ରଚାର ଆରମ୍ଭ କରିଥିବାବେଳେ ଏପଟେ ବିଜେପି ଆଣିଛି ବିଜେଡି ବିରୋଧରେ ଚାର୍ଜସିଟ୍ । ଏଥିରେ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳର ଅବ୍ୟବସ୍ଥା ନେଇ ଅଭିଯୋଗ କରିବା ସହ ଶାସକ ଦଳର ଦୋଷ ଦୁର୍ବଳତା ବଖାଣିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ରାଜ୍ୟରେ ୨୫ ବର୍ଷ ଭିତରେ କ’ଣ କ’ଣ ସମସ୍ୟା ଦେଖାଦେଇଛି ତାହା କହିଛି ବିଜେପି । ରାଜ୍ୟରେ ହଜାର ହଜାର ପରିବାର ଚିଟଫଣ୍ଡର ଶିକାର ହେଲେ । ସେମାନଙ୍କୁ  ସେମାନଙ୍କ ଜମା ଟଙ୍କା ଫେରାଇବାକୁ କର୍ପସ୍ ଫଣ୍ଡ ଗଠନ ହେଲା , କମିଶନ ବି ବସିଲା କିନ୍ତୁ ଫଳ କିଛି ହେଲାନି । ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବିଜେଡି ସରକାର ।

 ଓଡିଶାରେ ୭୫ ବର୍ଷ ପରେ ସବୁଠୁ ଚିନ୍ତାଜନକ ବିଷୟକୁ ନିମନ୍ତ୍ରଣ କରିଛନ୍ତି ବିଜେଡି ସରକାର । ଏଠି ନାଁ ଅଛି ଗଣତନ୍ତ୍ର ନା ଅଛି ରାଜତନ୍ତ୍ର । ଏ ରାଜ୍ୟରେ ମନ୍ତ୍ରୀ , ଏମଲଏ, ଏମପିଙ୍କ ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେମାନଙ୍କ ମୂଲ୍ୟବୋଧ ନିରୂପଣ କରିପାରୁନାହାଁନ୍ତି ବିଜେଡି ସରକାର । ସେମାନଙ୍କ ମର୍ଯ୍ୟାଦା ରଖିପାରୁନାହାଁନ୍ତି । ରାଜ୍ୟରେ ଜନପ୍ରତିନିଧି ନୁହଁନ୍ତି ବରଂ କିଛି ମୁଷ୍ଟିମେୟ ଅଫିସର ରହି ଶାସନ ନିୟନ୍ତ୍ରଣ କରୁଛନ୍ତି । ଅଫିସରଙ୍କ ଆତଙ୍କ ରାଜ୍ୟରେ ନୂଆ ରୂପ ନେଇଛି ବୋଲି କହିଛନ୍ତି ମନମୋହନ ସାମଲ ।

 ଏ ସରକାର ଗାଁକୁ ସମ୍ମାନ ଦେଇନାହାଁନ୍ତି । ରାଜ୍ୟର ଅସ୍ମିତାକୁ କ୍ଷୁର୍ଣ୍ଣ କରିଛନ୍ତି । ତେଣୁ ଏବେ ସାଧାରଣ ଲୋକଙ୍କ ମନରେ ଏହି ସରକାରଙ୍କ ବିରୋଧରେ ଅସନ୍ତୋଷ ବିସ୍ଫୋରଣ ହୋଇଛି । ଲୋକେ ଏବେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ।