ଆଜି ରାଜଧାନୀରେ ଗର୍ଜିବେ ବିଜେପି ଓ ବିଜେଡି : ବିଜେପିର ମମିତା ମେହେର ପ୍ରସଙ୍ଗ ଏବଂ ବିଜେଡିର ବେକାରୀ, ଦରଦାମ ବୃଦ୍ଧି ପ୍ରସଙ୍ଗ

113

କନକ ବ୍ୟୁରୋ : ଆଜି ବିଧାନସଭା ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା । ମମିତା ମେହେର ହତ୍ୟା ପ୍ରସଙ୍ଗରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ବିଧାନସଭା ଘେରି ସରକାରଙ୍କ ଉପରେ ଚାପ ପକାଇବାକୁ ଅଂଟା ଭିଡିଛି ବିଜେପି । ଏହି ଘେରାଉରେ ୧୦ ହଜାରରୁ ଅଧିକ ଲୋକ ସାମିଲ ହେବାର ଯୋଜନା ରହିଛି । ରାମ ମନ୍ଦିର ଛକରୁ ବିଜେପି ଯୁବ ମୋର୍ଚ୍ଚା ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପିଏମଜିରେ ପହଂଚିବ । ସେଠାରେ ଦଳ ପକ୍ଷରୁ ପ୍ରତିବାଦ ସଭା କରାଯିବ । ସେହିପରି ଆସନ୍ତାକାଲି କଂଗ୍ରେସ ମଧ୍ୟ ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରାଉ କରିବ ବୋଲି ଜଣାପଡିଛି । ବିଧାନସଭାରେ ବିରୋଧୀ ବିଜେପି ଏବଂ କଂଗ୍ରେସ ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରୁଛନ୍ତି । ଯାହାକୁ ନେଇ ଗୃହ କାର୍ଯ୍ୟ ଚାଲିପାରୁନି ।

ବିଜେଡି ମଧ୍ୟ ଆଜି ପ୍ରତିବାଦ କରିବ । ଦରଦାମ ଏବଂ ବେକାରୀ ବୃଦ୍ଧିକୁ ପ୍ରସଙ୍ଗ କରି କେନ୍ଦ୍ର ବିରୋଧରେ ଯୁଦ୍ଧ ଡାକରା ଦେଇ ଆଜି ରାଜଧାନୀରେ ବିକ୍ଷୋଭ ଶୋଭାଯାତ୍ରା କରିବ ଶାସକ ଦଳ । ଦଳର ଯୁବ, ଛାତ୍ର, ମହିଳା ଶାଖା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଉଛି । ବିଜେଡି ମୁଖ୍ୟ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରା ବାହାରିବ । ସକାଳ ୧୦ଟା ବେଳେ ଭୁବନେଶ୍ୱର ପାୱାରେ ହାଉସ ଛକ ନିକଟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଗଣଧାରଣା ଦେବ । ରାଜଧାନୀ ଭୁବନେଶ୍ୱରରେ ଆଜି ଦୁଇ ପ୍ରମୁଖ ଦଳର ବିକ୍ଷୋଭ ଶୋଭାଯାତ୍ରା ପୁଲିସ ପ୍ରଶାସନକୁ ଚିନ୍ତାରେ ପକାଇଛି ।