ରଣକ୍ଷେତ୍ର ପାଲଟିଲା ରାଜଧାନୀ । ଲୋୟର ପିଏମଜିରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ। ପଥରମାଡରେ ଫାଟିଲା ସୁରକ୍ଷାକର୍ମୀ ଓ ସାମ୍ବାଦିକଙ୍କ ମୁଣ୍ଡ 

115

କନକ ବ୍ୟୁରୋ: ଅଶାନ୍ତ ରାଜଧାନୀ, ରକ୍ତାକ୍ତ ସଂଘର୍ଷ । କିଛି ସମୟ ପାଇଁ ବିଧାନସଭା ସମ୍ମୁଖରେ ଚାଲିଲା ଅରାଜକତା । ମମିତା ହତ୍ୟା ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଳାଇଥିବା ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମଧ୍ୟରେ କିଛି ଘଣ୍ଟା ପାଇଁ ଚାଲିଥିବା ମୁହାଁମୁହିଁ ପରିସ୍ଥିତି ଭୟାବହ ଦୃଶ୍ୟ ସୃଷ୍ଟି କରିଥିଲା । ଆନ୍ଦୋଳନକାରୀ, ପୋଲିସ ଉପରକୁ ଆକ୍ରମଣ କରିବା, ଜବାବରେ ପୋଲିସର ଲାଠିଚାଳନା, ଖବର ସଂଗ୍ରହ ପାଇଁ ଉପସ୍ଥିତ ସାମ୍ବାଦିକ ଆହତ ହେବା- ସବୁକିଛି ଦର୍ଶାଉଥିଲା ଯେ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଚେତାଇବାର ଉଦ୍ୟମ କମ ଥିଲା ବରଂ ଶକ୍ତି ପ୍ରଦର୍ଶନର ଏହା ଏକ ମାଧ୍ୟମ ପାଲଟିଥିଲା ।

ମମିତା ମେହେର ପ୍ରସଙ୍ଗରେ ରାଜଧାନୀର ରାଜରାସ୍ତାରେ ବିଜେପି କର୍ମୀ କରିଛନ୍ତି ଶକ୍ତି ପ୍ରଦର୍ଶନ । ହେଲେ ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସକୁ କରିବାକୁ ପଡିଛି ମୃଦୁ ଲାଠିଚାଳନା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମମିତା ମେହେର ମୃତ୍ୟୁ ଘଟଣାର  ସିବିଆଇ ତଦନ୍ତ ଦାବିରେ ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ଲୋୟର ପିଏମଜିକୁ ପ୍ରାୟ ୩ ଘଣ୍ଟା ଧରି ନିଜ କବଜାକୁ ନେଇଯାଇଥିଲେ । ହଜାର ହଜାର କର୍ମୀ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଗଲାବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଠେଲାପେଲା ଓ ହୋହଲ୍ଲାରେ କମ୍ପଥିଲା ଲୋୟର ପିଏମଜି ।

ହୋହାଲ୍ଲା ଓ ନାରାବାଜି  ମଧ୍ୟରେ ଲୋୟର ପିଏମଜି ରଣକ୍ଷେତ୍ର ପାଲଟିଥିଲା । ବିଜେପି କର୍ମୀଙ୍କ ଅଟକାଇବା ପାଇଁ ପୁଲିସ ଥିଲେ ବି ନାକଦେମ ହୋଇଥିଲା । ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ । ଧସ୍ତାଧସ୍ତି ଓ ଠେଲାପେଲା ମଧ୍ୟରେ  କିଛି ପୁଲିସ କର୍ମୀ, ବିଜେପି କର୍ମୀ ଓ କିଛି ସାମ୍ବାଦିକ ଆହତ ହୋଇଥିଲେ । ଏପରିକି ବିଜେପି କର୍ମୀମାନେ  ପୋଲିସ ଭ୍ୟାନକୁ ଭାଙ୍ଗିବାକୁ ବି ଉଦ୍ୟମ କରିଥିଲେ । ପରିସ୍ଥିତିକୁ ଆୟତ୍ତ କରିବାକୁ  ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା ।

ତେବେ ସକାଳୁ ମମିତା ମେହେର ହତ୍ୟା ଘଟଣାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ ବିଜେପି ଯୁବମୋର୍ଚ୍ଚା କର୍ମୀ । ଶତାଧିକ କର୍ମୀ ଭୁବନେଶ୍ୱର ଚଲୋ ବିଧାନସଭା ଘେରାଉ ନାରା ଦେଇ ବିଧାନସଭା ଅଭିମ୍ରୁଖେ ବାହାରିଥିଲେ । ଶୋଭାଯାତ୍ରାରେ ବରିଷ୍ଠ ନେତା ଓ ବିଧାୟକଙ୍କୁ ବି ଦେଖିବାକୁ ମିଳିଥିଲା ।