କନକ ବ୍ୟୁରୋ : ଭୁବନେଶ୍ୱର ଏକାମ୍ର ମହାବିଦ୍ୟାଳୟରେ ହାଇଭୋଲଟେଜ୍ ଡ୍ରାମା । ମୁହାଁମୁହଁ ହେଲେ ବିଜେପି ଓ ବିଜେଡି କର୍ମୀ । ଏକାମ୍ର ମହାବିଦ୍ୟାଳୟକୁ ମନ୍ତ୍ରୀ ଅଶୋକ ପଣ୍ଡା ଏକ କାର୍ଯ୍ୟକ୍ରମକୁ ଆସିବା ପୂର୍ବରୁ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲା ବିଜେପି ।

Advertisment

ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ସାରା ରାଜ୍ୟରେ ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି । ଆଜି ମନ୍ତ୍ରୀଙ୍କୁ କଳା ପତାକା ଦେଖାଇ ବିରୋଧ କରିବାକୁ ଯୋଜନା କରିଥିଲେ ବିଜେପି କର୍ମୀ । ଅଶୋକ ପଣ୍ଡା ଗୋ ବ୍ୟାକ୍ ନାରା ଦେଇ ଚାଲିଥିଲେ ବିଜେପି କର୍ମୀ । ଶେଷରେ ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ । ଦିନ ୧୦ଟା ୩୦ରେ ମନ୍ତ୍ରୀ ଏକାମ୍ର ମହାବିଦ୍ୟାଳୟକୁ ଆସିବାର ଥିଲା । କିନ୍ତୁ ବିଜେପିର ବିକ୍ଷୋଭ ଯୋଗୁ ମନ୍ତ୍ରୀ ବିଳମ୍ବରେ ପହଂଚିଥିଲେ ।

କେନ୍ଦ୍ରାପଡ଼ାରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ବିରୋଧ । କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି । କଲେଜ ନିକଟରେ ମନ୍ତ୍ରୀଙ୍କ ଗାଡି ଉପରକୁ ବିଜେଡି କର୍ମୀମାନେ ଅଣ୍ଡା ମାଡ କରିଛନ୍ତି । ଗତକାଲି କେନ୍ଦ୍ରାପଡ଼ାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଜେପି କର୍ମୀ ବିରୋଧ ପ୍ରଦର୍ଶନ କରୁଥିଲେ । ମନ୍ତ୍ରୀ ପ୍ରତାପ ଜେନା ସରକାରୀ ବାଳିକା ହାଇସ୍କୁଲ ସଭାସ୍ଥଳକୁ ଦଳୀୟ କର୍ମୀଙ୍କ ସହ ଯାଉଥିବା ବେଳେ ବିରୋଧୀ ଅଣ୍ଡାମାଡ଼ କରିଥିଲେ । ଏହାର ପ୍ରତିବାଦରେ ଆଜି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ବିରୋଧ କରାଯାଇଛି ।