ଥମୁନି ମେଣ୍ଟ ଚର୍ଚ୍ଚା: ଏବେ ବି ନିରବ ରହିଛନ୍ତି ଶୀର୍ଷ ନେତୃତ୍ୱ, ଦ୍ୱନ୍ଦ୍ୱରେ ଅଛନ୍ତି କର୍ମୀ ଓ ଜନତା

144

କନକ ବ୍ୟୁରୋ: ମେଂଟ ପାଇଁ ମନା କଲେ, ଡାକରା ପାଇ ସନ୍ଧ୍ୟାରେ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ରାଜ୍ୟ ବିଜେପି ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର । ବିଜେଡି-ବିଜେପି ମେଂଟ ନେଇ ଦ୍ୱନ୍ଦ୍ୱ ଜାରି ରହିଥିବାେଳେ ଆଜି ସନ୍ଧ୍ୟାରେ ଦିଲ୍ଲୀ ଯାଇଛନ୍ତି ଏହି ନେତା । ତାଙ୍କ ସହିତ ବିଜେପି ନେତା ସମ୍ବିତ ପାତ୍ର ବି ଦିଲ୍ଲୀ ଯାଇଛନ୍ତି । ବିଜେପି-ବିଜେଡି ମଧ୍ୟରେ ମେଂଟ ହେବ କି ନାହିଁ ତାକୁ ସାରା ରାଜ୍ୟ ଅପେକ୍ଷା କରି ରହିଛି । ଏହାରି ଭିତରେ ବିଜେପି ନେତାଙ୍କ ଦିଲ୍ଲୀ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।

ବିଜେଡି-ବିଜେପି ମେଂଟ କେତେ ବାଟ ଯାଇଛି । ଝୁଲି ରହିଛି ନା’ ଚୂଡ଼ାନ୍ତ ହୋଇଛି କି ପୂରା କସରତ ଫେଲ୍ ମାରିଛି, ଏ ସଂପର୍କରେ ଜାଣିବା ପାଇଁ କେବଳ ଓଡ଼ିଶା ନୁହେଁ, ସାରା ଦେଶ ଅପେକ୍ଷା କରିଛି । କିନ୍ତୁ ଦୁଇ ଦଳର ଶୀର୍ଷ ନେତା ଅର୍ଥାତ ଯେଉଁମାନେ ଏ ନେଇ ଚୂଡ଼ାନ୍ତ ନିଷ୍ପତି ନେବେ, ସେମାନେ ନିରବ ରହିଥିବାରୁ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି । ମେଂଟ ହେବନି, ସବୁ ଆସନରେ ବିଜେପି ଏକାକୀ ଲଢ଼ିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ବି ତାଙ୍କ କଥାକୁ ସଂପୂର୍ଣ୍ଣ ବିଶ୍ୱାସ କରି ହେଉନି, କାରଣ ମେଂଟ ସଂପର୍କରେ କୌଣସି ଚର୍ଚ୍ଚା ହୋଇନଥିବା କହିଛନ୍ତି ମନମୋହନ । ଅବଶ୍ୟ ତାଙ୍କ କଥାକୁ ସମର୍ଥନ କରିଛନ୍ତି ବିଜେପି ରାଜ୍ୟ ନିର୍ବାଚନୀ ପ୍ରଭାରୀ ବିଜୟପାଲ୍ ସିଂହ ତୋମାର ଓ ସହପ୍ରଭାରୀ ଲତା ଉସେଣ୍ଡୀ ।

ବିଜେଡି-ବିଜେପି ମେଂଟ ସଂପର୍କରେ ଏମାନଙ୍କ ମନ୍ତବ୍ୟ ବିଶେଷ ଗୁରୁତ୍ୱ ରଖୁନାହିଁ । କାରଣ ମେଂଟ ସଂପର୍କରେ ନିଷ୍ପତି ନେଇପାରିବେ କେନ୍ଦ୍ର ବିଜେପିର ଶୀର୍ଷ ନେତୃତ୍ୱ । ସେମାନେ ନିରବ ରହିଥିବା ବେଳେ ବିଜେଡିର ଶୀର୍ଷ ନେତୃତ୍ୱ ମଧ୍ୟ ମୁହଁ ଖୋଲୁନାହାନ୍ତି । ଏହାରି ଭିତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଜ୍ୟ ନିର୍ବାଚନୀ ପ୍ରଭାରୀ ବିଜୟପାଲ୍ ସିଂହ ତୋମାର ଆଦି ବରିଷ୍ଠ ନେତା ଡକରା ପାଇବା ପରେ ଆଜି ସଂଧ୍ୟାରେ ଦିଲ୍ଲୀ ଯାଇଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୩ ସେକେଣ୍ଡର ଭିଡିଓକୁ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । ରାଜନୀତିରେ ସବୁଠୁ ଖରାପ ଜିନିଷ କ’ଣ ବୋଲି ଫାଇଭ୍ ଅଧ୍ୟକ୍ଷ ଭିକେ ପାଣ୍ଡିଆନ ପଚାରିବାରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଗୁଜବ ଓ ମିଛ କଥା । ସାମ୍ପ୍ରତିକ ସ୍ଥିତିରେ କିଏ ଗୁଜବ ସୃଷ୍ଟି କରୁଛି, କିଏ ମିଛ କଥା କହୁଛି, ସେ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । କୁହାଯାଉଛି ମନମୋହନଙ୍କ ମନ୍ତବ୍ୟକୁ ଦୃଷ୍ଟିରେ ରଖି ଏପରି କହିଥାଇ ପାରନ୍ତି ମୁଖ୍ୟମନ୍ତ୍ରୀ । ଏପଟେ ଏସଂପର୍କରେ ଟିକା ଟିପଣୀ ଦେବାକୁ ମନା କରିଦେଇଛନ୍ତି ମନମୋହନ । ତେବେ ବରିଷ୍ଠ ବିଜେଡି ନେତା ସୁବାସ ସିଂ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତା । ରାଜ୍ୟରେ ବିଜେଡି-ବିଜେଡି ମେଂଟ ହେବ ନା ଦୁଇ ଦଳ ଅଲଗା ଅଲଗା ନିର୍ବାଚନ ଲଢ଼ିବେ, ତାହା ସ୍ପଷ୍ଟ ହେବାକୁ ଆହୁରି ଦୁଇ-ତିନି ଦିନ ଲାଗିପାରେ ବୋଲି କୁହାଯାଉଛି ।