କନକ ବ୍ୟୁରୋ: ଜଣେ ପ୍ରଚାରକଙ୍କୁ ପୁଲିସ ଆକ୍ରମଣ କରିଛି ବୋଲି ‘ଆର୍ଏସ୍ଏସ୍’ର ଜଣେ ସଦସ୍ୟ ଅଭିଯୋଗ କରିବା ପରେ ବୃନ୍ଦାବନର କୁମ୍ଭ ଅଞ୍ଚଳରେ ‘ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ’ଙ୍କ ସମର୍ଥକ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଥିଲା। ଏହି ସଂଘର୍ଷରେ କେତେକ ପୁଲିସ କର୍ମଚାରୀ ସର୍ବସାଧାରଣରେ ମାଡ଼ ଖାଉଥିବା ଦୃଶ୍ୟ ଥିବା ଭିଡିଓ ସମ୍ପ୍ରତି ଭାଇରାଲ୍ ହୋଇଛି।
‘ଆର୍ଏସ୍ଏସ୍ ଜିଲ୍ଲା ପ୍ରଚାରକ’ ମନୋଜ କୁମାରଙ୍କ ପ୍ରତି ପୁଲିସ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଯୋଗୁଁ ଏହି ସଂଘର୍ଷର ସୂତ୍ରପାତ ହୋଇଥିବା କୁହାଯାଉଛି। ବୃନ୍ଦାବନର କୁମ୍ଭ ମେଳା ଅଞ୍ଚଳ ଦେଇ ପ୍ରବାହିତ ଯମୁନା ନଦୀରେ ସ୍ନାନ କରୁଥିବା ବେଳେ ପୁଲିସ ମନୋଜଙ୍କ ସହ ଦୁର୍ବ୍ୟବହାର କରିଥିଲା। ତାଙ୍କର ଦୋଷ ହେଲା, ଯମୁନାରେ ସ୍ନାନ କରିବା ବେଳେ ସେ ରେଲିଙ୍ଗ୍ ଟପିଯାଇଥିଲେ। ଏଥିରେ ପୁଲିସ କର୍ମଚାରୀ ଆପତ୍ତି ଉଠାଇବା ସହ ନଦୀ ମଧ୍ୟକୁ ଯିବାକୁ ବାରଣ କରିଥିଲେ। ଏହାପରେ ‘ଆର୍ଏସ୍ଏସ୍’ କର୍ମୀମାନେ ପୁଲିସ ସହ ସଂଘର୍ଷ କରିବା ସହ ପୁଲିସ ତାଙ୍କୁ ପ୍ରଥମେ ପିଟିଥିଲେ ବୋଲି ଦୋଷ ଦେଇଛନ୍ତି।
ଅବିଳମ୍ବେ ଘଟଣାସ୍ଥଳ କୋଟଓ୍ଵାଲିରେ ବହୁସଂଖ୍ୟକ ‘ଆର୍ଏସ୍ଏସ୍’ ଓ ‘ବିଜେପି’ କର୍ମୀମାନେ ପହଞ୍ଚିଥିଲେ। ସେମାନଙ୍କ ସହ ଅନ୍ୟ କେତେକ ସଂଗଠନର ସଦସ୍ୟ ଯୋଗ ଦେଇ ପୁଲିସ ବିରୋଧରେ ସ୍ଲୋଗାନ୍ ଦେଇଥିଲେ। ଦୁଇ ତିନିଜଣ ପୁଲିସଙ୍କ ସହ କେତେକ ଯୁବକ ଯୁକ୍ତି କରୁଥିବାର ଦୃଶ୍ୟ ଭାଇରାଲ୍ ଭିଡିଓରେ ଦେଖାଯାଉଛି। ପରେ ପରେ ସେମାନେ ଜଣେ ପୁଲିସକୁ ଧରିପକାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଗୋଟାଏ ହେଲ୍ମେଟ୍ରେ ଜଣେ ପୁଲିସ କର୍ମଚାରୀଙ୍କୁ ପିଟୁଥିବା ଦେଖାଯାଉଛି।
ସମ୍ପୃକ୍ତ ପୁଲିସ କର୍ମଚାରୀମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରି ‘ବିଜେପି ମେଟ୍ରୋପଲିଟାନ୍’ ଅଧ୍ୟକ୍ଷ ବିନୋଦ ଅଗ୍ରଓ୍ଵାଲ୍ ‘ୟୁନାଇଟେଡ୍ ଡିଷ୍ଟ୍ରିକ୍ଟ୍ ହସ୍ପିଟାଲ୍’ରେ ଅନଶନ ଆରମ୍ଭ କରିଦେଇଛନ୍ତି।
ଘଟଣା ସଂକ୍ରାନ୍ତରେ ଜାଣି ଜିଲ୍ଲା ମାଜିଷ୍ଟ୍ରେଟ୍, ଏସ୍ଏସ୍ପି ଏବଂ ଅନ୍ୟ ପୁଲିସ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୋକୁଳ ବିଧାୟକ ପୂରନ୍ ପ୍ରକାଶ, ସର୍କଲ୍ ଅଧିକାରୀ ତଥା କୁମ୍ଭ ଭାରପ୍ରାପ୍ତ ଅଧିକାରୀ ମଧ୍ୟ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ।
ଜଣେ ସବ୍-ଇନ୍ସ୍ପେକ୍ଟର୍ଙ୍କ ସମେତ ଚାରିଜଣ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ମନୋଜ କୁମାରଙ୍କର ଜଣେ ସହଯୋଗୀଙ୍କୁ ବୁକ୍ କରାଯାଇଛି।