କନକ ବ୍ୟୁରୋ : ଲକ୍ଷ୍ନୌରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ବଡ ବୟାନ ଦେଇଛନ୍ତି । ନିଷାଦ ସମାଜର ‘ସରକାର ଗଢ, ଅଧିକାର ପାଅ’ ରାଲିକୁ ସମ୍ବୋଧିତ କରି ଶାହା କହିଛନ୍ତି ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ୩୦୦ରୁ ଅଧିକ ଆସନରେ ଜିତିବ । ଏହାସହ ବିରୋଧୀ ସମାଜବାଦୀ ପାର୍ଟି, ବିଏସପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ଶାହା ।

Advertisment

ଅମିତ କହିଛନ୍ତି, ଆମେ ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୩୦୦ରୁ ଅଧିକ ଆସନରେ ବିଜୟୀ ହେବୁ । ଏସପି, ବିଏସପି, କଂଗ୍ରେସ ଅନେକ ବର୍ଷ ଧରି ଦେଶ ତଥା ଉତ୍ତରପ୍ରଦେଶରେ ଶାସନ କରିଛନ୍ତି । କିନ୍ତୁ ଏହି ସମୟରେ ନା ଗରିବଙ୍କ ଘରେ ରୋଷେଇ ଗ୍ୟାସ ପହଞ୍ଚିଥିଲା ନା କାହା ଘରେ ଶୌଚାଳୟ ନିର୍ମାଣ କରିଥିଲେ ସରକାର । କିନ୍ତୁ ମୋଦୀ ସରକାର ଗରିବଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ଶୌଚାଳୟ ନିର୍ମାଣ ସହ ଘର, ସ୍ୱାସ୍ଥ୍ୟବୀମା ଭଳି ସୁବିଧା ପ୍ରଦାନ କରିଛନ୍ତି ।

ଏହାସହ ଶାହା କହିଛନ୍ତି, ଯେଉଁ ରାଜ୍ୟରେ ଗୁଣ୍ଡାରାଜ ଚାଲେ, ସେଠାରେ ଗରିବଙ୍କ ବିକାଶ ହୋଇନଥାଏ । ଗରିବଙ୍କ ବିକାଶ ସେତେବେଳେ ହୁଏ ଯେତେବେଳେ କାନୁନର ରାଜ ଚାଲେ । ଏସପି-ବିଏସପି ସରକାର ଗୁଣ୍ଡା ମାନଙ୍କୁ ସୁରକ୍ଷା ଦେଉଥିଲେ, କିନ୍ତୁ ଯୋଗୀ ସରକାର ଆସିବା ପରେ ଗୁଣ୍ଡା ଶ୍ରେଣୀର ଲୋକ ରାଜ୍ୟ ଛାଡିଥିଲେ । ଉତ୍ତରପ୍ରଦେଶରେ ଯେତେବେଳେ ଏସପି-ବିଏସପି ସରକାର ଥିଲା ସେତେବେଳେ ସେମାନେ କେବଳ ନିଜ ଜାତିର ଲୋକଙ୍କ ପାଇଁ କାମ କରୁଥିଲେ । କିନ୍ତୁ ସମସ୍ତ ପଛୁଆ ବର୍ଗ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ କାମ କରିଛନ୍ତି ମୋଦୀ ସରକାର ।