ବିଜେପୁର ପାଇଁ ବିଜେପିର ଚାଲ୍ ! ଉପନିର୍ବାଚନ ନେଇ ସରଗରମ ହେଲା ରାଜନୀତି

23

bijepurକନକ ବ୍ୟୁରୋ : ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନି । ହେଲେ, ପାଣିପାଗ କିନ୍ତୁ ସରଗରମ । ଉପ ନିର୍ବାଚନରେ ବାଜିମାରି ନିଜ ଦବଦବା ଜାହିର କରିବାକୁ ସମସ୍ତେ ପ୍ରସ୍ତୁତ । ବିଜେଡି ପ୍ରାର୍ଥୀ ଘୋଷଣା କରି ପାଦୁଟିଏ ଆଗରେ ଥିବା ବେଳେ କାଉଂଟର ଷ୍ଟ୍ରାଟେଜୀ ପ୍ରସ୍ତୁତ କରିଛି ବିଜେପି । ଅକଟୋବର ପ୍ରଥମ ସପ୍ତାହରେ ଦଳ ବିଜେପୁରରେ କରିବ ମିଶ୍ରଣ ପର୍ବ । ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଦଳରେ ମିଶିବେ । ଆଉ ଅନୁମାନ କରାଯାଉଛି, ଅଶୋକଙ୍କୁ ହିଁ ଦଳ ଉପନିର୍ବାଚନରେ ପ୍ରାର୍ଥୀ କରିବ । ଏନେଇ କେହି ସ୍ପଷ୍ଟ କରିନଥିଲେ ବି ଧର୍ମେନ୍ଦ୍ର କହିଛନ୍ତି, ଆମ ଦଖଲକୁ ଆସିବ ବିଜେପୁର ।

ସେପଟେ ଅନୁକମ୍ପା ଭୋଟ୍ ସହ ନବୀନଙ୍କ ଭାବମୁର୍ତ୍ତିକୁ ଧରି ବିଜେଡି ଓହ୍ଲାଇବ ନିର୍ବାଚନୀ ମୈଦାନକୁ । ହେଲେ ଦଳ ପାଇଁ ଆହ୍ୱାନ ହୋଇଛି ଅସନ୍ତୁଷ୍ଟଙ୍କ ମନୋଭାବ । ହେଲେ ଏହାକୁ ପ୍ରଶମିତ କରିବାକୁ ଦଳ ଅଂଟା ଭିଡିଛି । ବରଗଡ ପର୍ଯ୍ୟବେକ୍ଷକ ଜିଲ୍ଲାରେ ଡେରା ପକାଇଛନ୍ତି । ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବୁଝାଇବାକୁ ରୀତିମତ ଉଦ୍ୟମ ଚାଲିଛି । ଆଉ ଏହାରି ଭିତରେ ଗ୍ରାଉଣ୍ଡ ୱାର୍କ ଆରମ୍ଭ କରିଛି ଶାସକ ଦଳ । ପଂଚାୟ ନିର୍ବାଚନରେ ବିଜେପି ପାଇଥିବା ଭୋଟକୁ ନିଜ ସପକ୍ଷକୁ ନେବାକୁ ଆରମ୍ଭ କରିସାରିଛି ଉଦ୍ୟମ ।

ଉପନିର୍ବାଚନ ଏବେ ପ୍ରତି ରାଜନୈତିକ ଦଳଙ୍କ ପାଇଁ ପ୍ରତିଷ୍ଠାର ପ୍ରଶ୍ନ ପାଲଟିଛି । କଂଗ୍ରେସର ଗଡ ଥିଲା ବିଜେପୁର । ହେଲେ ଦଳ ଏଠି ଏବେ ବ୍ୟାକଫୁଟରେ । ପଂଚାୟତ ନିର୍ବାଚନରେ ବିଜେପି ଜିଲ୍ଲା ପରିଷଦ ଗଠନ କଲା ଆଉ ମିଶନ ୧୨୦କୁ ନେଇ ଆଗକୁ ବଢିଲା । ଆଉ ଏହାରି ଭିତରେ ଶାସକ ଦଳ ବିରୋଧରେ ବାତାବରଣ ନାହିଁ, ତାହା ପ୍ରମାଣିତ କରିବାର ଅବସର ଆସିଛି । ଯାହା ଦଳ ନେତୃତ୍ୱ ଆଉ ଆଗାମୀ ଦିନର ଦିଶା ନିର୍ଦ୍ଧାରଣ କରିବ ।