ନିର୍ବାଚନ ଫଳାଫଳକୁ ନେଇ ମୁହଁ ଖୋଲିଲେ ବାବା ରାମଦେବ । କହିଲେ, ମେ ୨୩ର ଫଳାଫଳ କିଛି ନେତାଙ୍କ ବ୍ଲଡପ୍ରେସର ବଢାଇଦେବ, ତାଙ୍କୁ କପାଳଭାତି ଆସନ କରାଇବ ପତଞ୍ଜଳି ।

566

ଆସନ୍ତା ୨୩ରେ ଆସିବ ନିର୍ବାଚନ ଫଳାଫଳ । । ଏହି ଫଳାଫଳ ସ୍ପଷ୍ଟ କରିବ କିଏ ଧରିବ ଦେଶର ଶାସନର ମଙ୍ଗ । ପୁଣିଥରେ ମୋଦି ମ୍ୟାଜିକ ଦେଖିବାକୁ ମିଳିବ ନା କମବ୍ୟାକ୍ କରିବ କଂଗ୍ରେସ । ଆଉ ଏଭଳି ସମୟରେ ଯୋଗଗୁରୁ ବାବା ରାମଦେବ ବଡ ବୟାନ ଦେଇଛନ୍ତି । ରାମଦେବ କହିଛନ୍ତି, ମେ ୨୩ର ଫଳାଫଳ ଦେଶବାସୀଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ହେବାକୁ ଯାଉଛି । କାରଣ ଦେଶରେ ପୁଣିଥରେ ସରକାର ଗଢିବାକୁ ଯାଉଛି ଏନଡିଏ ।

ଏହାସହ ରାମଦେବ କହିଛନ୍ତି, ମେ ୨୩ରେ ଆସିବାକୁ ଥିବା ଫଳାଫଳ କିଛି ନେତାଙ୍କର ବ୍ଲଡ ପ୍ରେସର ବଢାଇ ଦେବ । ତେଣୁ ସେମାନଙ୍କ ବ୍ଲଡପ୍ରେସର ନିୟନ୍ତ୍ରଣ କରିବାକୁ ଅନୁଲୋମ ବିଲୋମ, କପାଲଭାତି ଯୋଗ ଆସନ କରାଇବ ପତଞ୍ଜଳୀ । ଏପରିକି ମେ ୨୩ର ଫଳାଫଳ ଏମିତି ଏକ ସରକାର ଗଢିବାକୁ ଯାଉଛି ଯିଏ ପୂରା ବିଶ୍ୱର ନେତୃତ୍ୱ କରିବାକୁ ଯାଉଛି । ଏପରିକି ବିଶ୍ୱସ୍ତରରେ ଭାରତକୁ ଶକ୍ତିଶାଳୀ କରିବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କ ଆର୍ଶୀବାଦ ରହିଛି ବୋଲି କହିଛନ୍ତି ରାମଦେବ । ଏହାଛଡା ପଶ୍ଚିମବଙ୍ଗରେ ଦେଖାଦେଇଥିବା ହିଂସାକୁ ନେଇ ରାମଦେବ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ । ଏଭଳି ନୀନ୍ଦନୀୟ କାର୍ଯ୍ୟ ପାଇଁ ଅରାଜକତା ବଢୁଥିବା କହିଛନ୍ତି ରାମଦେବ । କମଲ ହାସନଙ୍କ ହିନ୍ଦୁ ଆତଙ୍କବାଦୀ ବୟାନକୁ ନେଇ ରାମଦେବ କହିଛନ୍ତି, ସେ ଜଣେ ଭଲ ଅଭିନେତା କିନ୍ତୁ ଭଲ ନେତା ନୁହଁନ୍ତି ।