କନକ ବ୍ୟୁରୋ: ୨୪ ନିର୍ବାଚନ ପାଇଁ ସବୁବର୍ଗର ଭୋଟରଙ୍କ ପାଖରେ ପହଞ୍ଚିବାକୁ ବିଜେପିର ଯୋଜନା । ମହିଳା, ଯୁବ ଓ ପଛୁଆବର୍ଗଙ୍କ ପରେ ବିଜେପି ଫୋକସରେ ଏବେ ଗାଁ ଭୋଟ । ଏଥିପାଇଁ ବିଜେପି ଆରମ୍ଭ କରିବ ଗାଁକୁ ଚାଲ ଅଭିଯାନ । ଫେବୃଆରୀ ୯ ତାରିଖରୁ ୧୧ ତାରିଖ ଯାଏଁ ୩ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଗାଁ ଭୋଟରଙ୍କୁ ନିଜ ଆଡକୁ ଆଣିବାକୁ ନକ୍ସା ପ୍ରସ୍ତୁତ କରିଛି ବିଜେପି ।

ଗାଁକୁ ଚାଲ ଅଭିଯାନ

  • ପ୍ରତି ବିଧାନସଭାରେ ଜଣେ ଜଣେ ସଂଯୋଜକ ନିଯୁକ୍ତ ହେବେ
  • ସବୁ ବର୍ଗର ଯୋଜନା ବିଷୟରେ ବୁଝାଯିବ
  • କର୍ମକର୍ତ୍ତା ଗାଁର ପ୍ରତ୍ୟେକ ପରିବାର ପାଖକୁ ଯିବେ
  • ଜଣେ କାର୍ଯ୍ୟକର୍ତ୍ତା ଗୋଟିଏ ଗାଁର ଦାୟିତ୍ୱ ନେବେ

ଗାଁକୁ ଚାଲ ଅଭିଯାନ ପାଇଁ ବିଜେପି ଯେଉଁ ନକ୍ସା ପ୍ରସ୍ତୁତ କରିଛି, ତାହା ଗାଁ ଭୋଟରଙ୍କୁ ପ୍ରଭାବ ପକାଇବ ବୋଲି ଆଶା ରଖିଛି ବିଜେପି । ପ୍ରସ୍ତୁତ ନକ୍ସା ଅନୁସାରେ...

ଗାଁକୁ ଚାଲ ଅଭିଯାନ ନକ୍ସା

  • କେନ୍ଦ୍ରୀୟ ଯୋଜନାର ଗାଁରେ ପହଞ୍ଚୁଛି କି ନାହିଁ, ସ୍ଥିତି ପରଖିବେ ନେତା
  • ଲୋକଙ୍କୁ କେନ୍ଦ୍ର ସହାୟତା ବାବଦରେ ପ୍ରଶ୍ନ କରାଯାଇ ସଚେତନ କରାଯିବ
  • କୋଟିଏ ପରିବାର ସହ ଜନସମ୍ପର୍କ କରିବେ ନେତା ଓ କର୍ମୀ
  • କେନ୍ଦ୍ର ସହାୟତା ବାବଦରେ ଲୋକଙ୍କୁ କୁହାଯିବ

ସେପଟେ ବିଜେଡି କହିଛି ନିର୍ବାଚନ ଆସିଲେ ବିରୋଧୀଙ୍କ ଗାଁ କଥା ମନେପଡେ । ବିଜେଡି ଗାଁ ଲୋକଙ୍କ ସହ ଥିଲା ଓ ଅଛି । ଦିଲ୍ଲୀରେ ଗତବର୍ଷ ବିଜେପି ବିଧାୟକ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଏହି ସମୟରେ ବିଧାୟକଙ୍କୁ ଏକ କୋଟି ପରିବାରଙ୍କ ପାଖରେ ପଂହଚିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏବେ ଗାଁକୁ ଚାଲ ଅଭିଯାନ ମାଧ୍ୟମରେ ସେହି ପରିବାରକୁ ଭେଟିବେ ବିଜେପି ନେତା ଓ କର୍ମୀ ।