ମୋଦୀଙ୍କ ଶକ୍ତିକୁ ବୁଝିପାରୁନାହାନ୍ତି ରାହୁଲ, ବେଶ କିଛି ବର୍ଷ କ୍ଷମତାର ଶୀର୍ଷରେ ରହିବ ବିଜେପି । ପ୍ରଶାନ୍ତ କିଶୋରଙ୍କ ବଡ ଭବିଷ୍ୟବାଣୀ ।

1,123

କନକ ବ୍ୟୁରୋ : ଆଗକୁ ଉତ୍ତରପ୍ରଦେଶ ଓ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ତେବେ ଏହାପୂର୍ବରୁ ବଡ ବୟାନ ରଖିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ବିଜେପି ବିରୋଧରେ ବିରୋଧୀଙ୍କୁ ଏକଜୁଟ୍ କରିବା ଦିଗରେ ପ୍ରଶାନ୍ତ କିଶୋର ଅଧିକାଂଶ ଦଳ ସହ ଯୋଗାଯୋଗରେ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପ୍ରଶାନ୍ତଙ୍କ ବୟାନ ପୁଣିଥରେ ଭାରତୀୟ ରାଜନୀତିରେ ନୂଆ ଝଡ ସୃଷ୍ଟି କରିଛି । ସିଧାସଳଖ ପ୍ରଶାନ୍ତ କହିଛନ୍ତି, ଆଗାମୀ କିଛି ଦଶକ ପର୍ଯ୍ୟନ୍ତ ଭାରତୀୟ ରାଜନୀତିରେ ବିଜେପିର ଦବଦବା ରହିବ ଆଉ ବିରୋଧୀ ଦଳ ଗୁଡିକୁ ବିଜେପି ସହ ଲଢିବାକୁ ପଡିବ ।

କେବଳ ଏତିକି ନୁହେଁ ପ୍ରଶାନ୍ତ କିଶୋର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ମଧ୍ୟ ବଡ ବୟାନ ଦେଇଛନ୍ତି । ମୋଦୀ ଯୁଗର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବା ରାହୁଲ ଗାନ୍ଧୀଙ୍କ ସବୁଠୁ ବଡ ଭୁଲ ହୋଇପାରେ । ରାହୁଲ ଗାନ୍ଧୀ ଏହି ଭ୍ରମରେ ଅଛନ୍ତି ଯେ, କେବଳ ମୋଦୀ ଥିବା ଯାଏଁ ବିଜେପି କ୍ଷମତାରେ ରହିବ ବୋଲି । କିନ୍ତୁ ବିଜେପି ହାରୁ କି ଜିତୁ, ଭାରତୀୟ ରାଜନୀତିର କେନ୍ଦ୍ରବିନ୍ଦୁରେ ଦୀର୍ଘ ବର୍ଷ ଯାଏଁ ରହିବ ବିଜେପି । ଠିକ୍ ଯେଉଁଭଳି କଂଗ୍ରେସ ୪୦ ବର୍ଷ ଧରି ରହିଥିଲା । କାରଣ ଭାରତ ଭଳି ବିଶାଳ ଦେଶରେ ୩୦ ପ୍ରତିଶତ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ଅର୍ଥ କ୍ଷମତା ଅଳନ୍ଦିରେ ଦୀର୍ଘ ବର୍ଷ ଧରି ରହିବା । ଲୋକ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ଓ ଆଗାମୀ ନିର୍ବାଚନରେ ମୋଦୀ ସରକାରଙ୍କୁ ଏହାର ଜବାବ ଦେବେ ଏହା ଭାବିବା ସମ୍ପୂର୍ଣ୍ଣ ଭୁଲ । ମୋଦୀ ହଟିଗଲେ ମଧ୍ୟ ବିଜେପି ସହଜରେ କ୍ଷମତା ଅଳନ୍ଦିରେ ବାହାରିବ ନାହିଁ ।

ପ୍ରଶାନ୍ତ କିଶୋର କହିଛନ୍ତି, ଯେବେ ପର୍ଯ୍ୟନ୍ତ ଆପଣ ମୋଦୀଙ୍କ ଶକ୍ତିକୁ ବୁଝିବାରେ ଅସମର୍ଥ ଓ ତାଙ୍କ ରଣନୀତିକୁ ବୁଝିନାହାନ୍ତି ସେବେ ପର୍ଯ୍ୟନ୍ତ ତାଙ୍କୁ ସାମ୍ନା କରିବା କଷ୍ଟକର । ମୋଦୀ କିଭଳି ଏତେଶୀଘ୍ର ଲୋକପ୍ରିୟ ହୋଇପାରିଲେ ତାହା ଯଦି ଆପଣ ବୁଝିପାରିବେ ତେବେ ସରକାରକୁୁ ସାମ୍ନା କରି ପାରିବେ । ଅଧିକାଂଶ କଂଗ୍ରେସ ନେତା କହୁଛନ୍ତି, ମୋଦୀ ସରକାର ଆଉ ଅଳ୍ପ ଦିନ ପାଇଁ କ୍ଷମତାରେ ରହିବ । କାରଣ ଲୋକ ସରକାରଙ୍କ ଉପରେ ଅସନ୍ତୁଷ୍ଟ ହେଲେଣି ଓ ବିରୋଧୀଙ୍କ ସପକ୍ଷରେ ଏକ ହାୱା ବହିଲାଣି ଓ ଖୁବଶୀଘ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବେ ଲୋକେ । କିନ୍ତୁ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପ୍ରଶାନ୍ତ । ସେ କହିଛନ୍ତି, ଏଭଳି ହେବାର ସମ୍ଭାବନା ବହୁତ କମ । କାରଣ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଏତେ ମାତ୍ରାରେ ବୃଦ୍ଧି ହେବା ପରେ ସରକାରଙ୍କ ଉପରେ ଜନସାଧାରଣଙ୍କର ସେଭଳି ଆକ୍ରୋଶ ନାହିଁ । ତେଣୁ ମୋଦୀ ସରକାର ସହଜରେ ହଟିଯିବ ବୋଲି ବିରୋଧୀ ଯାହା ଭାବୁଛନ୍ତି ତାହା ଭୁଲ ପ୍ରମାଣିତ ହୋଇପାରେ ।