କନକ ବ୍ୟୁରୋ: ବିଜେଡି ସରକାର ଅମଳରେ ଯେଉଁ ତିନି ଚର୍ଚ୍ଚିତ ହତ୍ୟାକାଣ୍ଡକୁ ନେଇ ବିଜେପି ଘେରି ଆସିଥିଲା, ସରକାର ବଦଳିବା ପରେ ସେହି ମାମଲାଗୁଡିକର ଫାଇଲ ପୁଣିଥରେ ଖୋଲିବାକୁ ଯାଉଛି। ମୋହନ ସରକାର ଆସିବା ପରେ ସେହି ତିନି ଚର୍ଚ୍ଚିତ ହତ୍ୟାକାଣ୍ଡର ରହସ୍ୟ ଖୋଜିବା ପାଇଁ ଫାଇଲ ଓପନ କରିବାକୁ ଯାଉଛନ୍ତି।

ନବ ଦାସ ହତ୍ୟା, ମମିତା ମେହେର ହତ୍ୟା, ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକୁ ନେଇ କେବଳ ରାଜ୍ୟ ନୁହେଁ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାପରେ ଏହି ମାମଲା ଉପରୁ ପରଦା ହଟାଇବାକୁ ଅଣ୍ଟା ଭିଡିଛନ୍ତି । ନବ ଦାସ ହତ୍ୟା ମାମଲାର ଫାଇଲ ରି-ଓପନ କରିବେ ସରକାର । ଏ ନେଇ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପୃଥ୍ୱୀରାଜ କହିଛନ୍ତି, ନବ ଦାସ ଜଣେ ବିଜେଡି ନେତା ହେଲେ ବି ମନ୍ତ୍ରୀ ଥିଲେ । ଆଉ ଜଣେ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ଏଭଳି ହତ୍ୟାକୁ ସହଜରେ ଗ୍ରହଣ କରାଯାଇପାରିବ ନାହିଁ। ସେହିଭଳି ୨୦୦୭ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଓ ୨୦୨୨ରେ ମମିତା ମେହେର ହତ୍ୟାର ଫାଇଲ ରି-ଓପନ ହେବ ।

ତେବେ ନବ ଦାସ ଓ ମମିତା ମେହେର ହତ୍ୟା ମାମଲାରେ ତତ୍କାଳୀନ ବିଜେଡି ସରକାର ଦୋଷୀଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଆସିଛି ବିଜେପି । ଏବେ ମନ୍ତ୍ରୀ ମାମଲାର ପୁଣି ତଦନ୍ତ ହେବ ବୋଲି କହିବା ପରେ ପ୍ରଶ୍ନ ଉଠୁଛି, ସତ କଣ ସାମ୍ନାକୁ ଆସିବ? ଏହି ୩ଟି ଯାକ ହତ୍ୟାକାଣ୍ଡର କାରଣ, ଶେଷ ପର୍ଯ୍ୟନ୍ତ ପର୍ଦ୍ଦାଫାସ କରିପାରିନଥିଲେ ତତକାଳୀନ ବିଜେଡି ସରକାର ।

  • ୨୦୨୩ ଜାନୁଆରୀ ୨୯ରେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିଲେ ପିଏସଓ ଗୋପାଳ ଦାସ
  • ଗୋପାଳ କାହିଁକି ହତ୍ୟା କଲେ ତାର କାରଣ ଏବେ ବି ଅସ୍ପଷ୍ଟ
  • ୨୦୨୨ କଳାହାଣ୍ଡି ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଥିଲେ
  • ମାମଲାରେ ବିଜେଡିର ବଡ ନେତାଙ୍କ ସଂପୃକ୍ତି ଅଭିଯୋଗ ଆସିଥିଲେ ବି ସତ ସାମ୍ନାକୁ ଆସିନାହିଁ
  • ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ
  • ୭ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲେ ବି ସିବିଆଇ ତଦନ୍ତ ଦାବି କରୁଛି ବିଜେପି

ଏସବୁ ମାମଲା ପୁଣି ଖୋଲିବା ନେଇ ଆଇନ ମନ୍ତ୍ରୀଙ୍କ ବୟାନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି ।