ମୋଦିଙ୍କୁ ଚିଠି ଲେଖିଲେ ବିଜେପି ନେତା । କହିଲେ, ନିରପେକ୍ଷ ନିର୍ବାଚନ ହେଲେ ୪୦ଟି ଆସନକୁ ଖସି ଆସିବ ବିଜେପି ।

2,454

କନକ ବ୍ୟୁରୋ : ମୁକ୍ତ ଓ ନିରପେକ୍ଷ ନିର୍ବାଚନ ହେଲେ ୪୦ ଆସନକୁ ଖସି ଆସିବ ବିଜେପି । ଏଭଳି ଦାବି ଅନ୍ୟ କେହି ନୁହେଁ ବରଂ ବିଜେପିର ଜଣାଶୁଣା ଚେହେରା ଅଜୟ ଅଗ୍ରୱାଲ କହିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି ନିରପେକ୍ଷ ନିର୍ବାଚନ ହୁଏ, ବିଜେପି ୪୦୦ ସିଟ୍ ଜିତିବା ନେଇ ଯେଉଁ ଦାବି କରୁଛି ତାହା ୪୦ ସିଟ୍ ମଧ୍ୟରେ ସୀମିତ ରହିବ । ଏଭଳି ଝଟକା ସହିବାକୁ କଣ ଆପଣ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅଜୟ ।

ଅଜୟ କହିଛନ୍ତି, ମୋଦିଙ୍କୁ ଦୀର୍ଘ ୨୮ ବର୍ଷ ହେଲା ଜାଣିଛି ଓ ୧୧ ଅଶୋକ ରୋଡ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନେକ ଥର ସାଙ୍ଗ ହୋଇ ଖାଇଛୁ ମଧ୍ୟ । ଏପରିକି ଗୁଜୁରାଟରେ ବିଜେପିର ବିଜୟ ପଛରେ ତାଙ୍କର ପ୍ରମୁଖ ହାତ ଥିଲା ବୋଲି କହିଛନ୍ତି ଅଜୟ । ଗୁଜୁରାଟ ନିର୍ବାଚନ ବେଳେ କଂଗ୍ରେସ ନେତା ମଣିଶଙ୍କର ଆୟାରଙ୍କ ଘରେ ମନମୋହନ ସିଂ ଓ ପୂର୍ବ ଉପରାଷ୍ଟ୍ରପତି ହମିଦ ଆନସାରୀଙ୍କ ସହ ପାକିସ୍ତାନ ଅଧିକାରୀଙ୍କ ମିଟିଂ କଥାକୁ ଯଦି ସାମ୍ନାକୁ ମୁଁ ଆଣିନଥାନ୍ତି ତେବେ ବିଜେପି ଗୁଜୁରାଟରେ ନିଶ୍ଚିତ ପରାଜୟବରଣ କରିଥାନ୍ତା ।

ନିର୍ବାଚନ ସଭାରେ ଏହାକୁ ପ୍ରସଙ୍ଗ କରି ମୋଦି କଂଗ୍ରେସକୁ ଟାର୍ଗେଟ କରିଥିବା ବେଳେ ଏହାର ଇଫେକ୍ଟ ମଧ୍ୟ ନିର୍ବାଚନରେ ପଡିଥିଲା । ଯେଉଁଥିପାଇଁ ବିଜେପି ପରବର୍ତ୍ତୀ ସମୟରେ ନିଶ୍ଚିତ ପରାଜୟରୁ ବିଜୟଟୀକା ପିନ୍ଧିବାକୁ ସକ୍ଷମ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିରେ ମୋତେ ଅଣଦେଖା କରାଯାଇଥିଲା । ଏପରିକି ବିଜେପିର ୩ ବରିଷ୍ଠ ନେତା ଗୁଜୁରାଟ ବିଜୟ ପରେ ମୋତେ ଭେଟିବା ପରେ ଅସନ୍ତୋଷ ଜାହିର କରିଥିଲେ । ପୁଣିଥରେ ଗୁଜୁରାଟରେ ସରକାର ଗଠନ ପାଇଁ କାହିଁକି ସାହାଯ୍ୟ କରୁଥିଲ ବୋଲି ମୋତେ ପଚାରିଥିଲେ । ଗୁଜୁରାଟ ନିର୍ବାଚନ ହାରିଥିଲେ ମୋଦି-ଶାହାଙ୍କର ଅହଙ୍କାର ଭାଙ୍ଗିଥାନ୍ତା ବୋଲି ଏହି ବରିଷ୍ଠ ନେତା ମାନେ କହିଥିଲେ ବୋଲି କହିଛନ୍ତି ଅଜୟ । ଏପରିକି ସେତେବେଳେ ଏହି ନେତା ସୂଚାଇ ଦେଇଥିଲେ ଯେ, ଗୁଜୁରାଟରେ ବିଜେପିର ବିଜୟ ପାଇଁ ଆପଣ ଏତେ ବଡ କାମ କଲେ କିନ୍ତୁ ଏହି ଯୋଡି ଆପଣଙ୍କୁ ପଚାରିବେନି କହିଥିଲେ । ଯାହାର ଝଲକ ପରବର୍ତ୍ତୀ ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା ।

ମୋଦିଙ୍କୁ ଚିଠି ଲେଖିବା ସହ ଗମ୍ଭୀର ଆରୋପ ଲଗାଇଛନ୍ତି ଅଜୟ ଅଗ୍ରୱାଲ । ରାୟବରେଲିରୁ ତାଙ୍କୁ ପ୍ରାର୍ଥୀ ନ କରିବା ପରେ ମୁହଁ ଖୋଲିଛନ୍ତି ଅଜୟ । ପୂର୍ବରୁ ୨୦୧୪ ମସିହାରେ ଅଜୟ ରାୟବରେଲିରୁ ବିଜେପିର ପ୍ରାର୍ଥୀ ହେବା ସହ ପ୍ରଥମଥର ଏହି ଆସନରୁ ବିଜେପି ପ୍ରାର୍ଥୀ ଭାବେ ସର୍ବାଧିକ ଭୋଟ ପାଇଥିଲେ । ୨୦୧୪ରେ ଅଜୟ ରାୟବରେଲି ଆସନରୁ ସୋନିଆ ଗାନ୍ଧିଙ୍କ ଠାରୁ ପରାସ୍ତ ହୋଇଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ଭାବେ ସର୍ବାଧିକ ୧,୭୩, ୭୨୧ଟି ଭୋଟ ପାଇଥିଲେ । ପୂର୍ବରୁ ବିଜେପି ଏହି ଆସନରୁ ସର୍ବଦା ୫୦ ହଜାରରୁ କମ ଭୋଟ ପାଇ ଆସିଥିଲା । ତେବେ ୨୦୧୯ରେ ତାଙ୍କ ଟିକେଟ କାଟି ଦିଆଯାଇ ନୂଆ ମୁହଁଙ୍କୁ ସୁଯୋଗ ଦିଆଯାଇଛି । କିନ୍ତୁ ଏଠାରେ ବିଜେପିକୁ ପୁଣିଥରେ ୫୦ ହଜାରରୁ ଅଧିକ ଭୋଟ ମିଳିବନି ବୋଲି କହିଛନ୍ତି ଅଜୟ ।

ଟିକେଟ ନ ମିଳିବା ପରେ ଅସନ୍ତୁଷ୍ଟ ଥିବା ଅଜୟ ମୋଦିଙ୍କୁ ଚିଠି ଲେଖିବା ସହ ପ୍ରବଳ ବର୍ଷିଛନ୍ତି । ଅଜୟଙ୍କ କହିବା ଅନୁଯାୟୀ, ଗୁଜୁରାଟ ନିର୍ବାଚନ ଜିତିବା ପାଇଁ ଲାଲକୃଷ୍ଣ ଆଡଭାଣୀଙ୍କୁ ରାଷ୍ଟ୍ରପତି ହେବାରୁ ବଞ୍ଚିତ କରାଗଲା । ପୂରା ଦେଶ ଚାହୁଁଥିଲା ଲାଲକୃଷ୍ଣ ଆଡଭାଣୀଙ୍କୁ ଦେଶର ରାଷ୍ଟ୍ରପତି କରାଯାଉ । କିନ୍ତୁ ଗୁଜୁରାଟ ନିର୍ବାଚନ ପୂର୍ବରୁ ପରାଜୟର ସଂକେତ ମିଳିବା ପରେ ଲାଲକୃଷ୍ଣ ଆଡଭାଣୀଙ୍କୁ ରାଷ୍ଟ୍ରପତି ରେସରୁ ବାଦ ଦିଆଯାଇଥିଲା । ଗୁଜୁରାଟରେ କଂଗ୍ରେସର ପାରମ୍ପରିକ କୋଲି ସମ୍ପ୍ରଦାୟର ଭୋଟ ହାତେଇବା ପାଇଁ ବିଜେପି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି କରାଯାଇଥିଲା ।

ଏହାସହ ଅଜୟ ତାତ୍ସଲ୍ୟ ଛଳରେ କହିଛନ୍ତି, ମୋଦି ଦେଶର ସବୁଠୁ ବୁଦ୍ଧିମାନ ବ୍ୟକ୍ତି । ତେଣୁ କୌଣସି ବ୍ୟକ୍ତିଙ୍କ ଠାରୁ ସେ ମତାମତ ଆବଶ୍ୟକତା କରନ୍ତି ନାହିଁ । ସେଥିପାଇଁ ବିନା କୌଣସି ଆଲୋଚନାରେ ବିମୁଦ୍ରାକରଣ ଭଳି ବଡ ନିଷ୍ପତି ନେଇଥିଲେ । ଯେଉଁଥିପାଇଁ ଗରିବ ଲୋକଙ୍କୁ ବାଧ୍ୟରେ ଲମ୍ବା ଲାଇନରେ ଛିଡା ହେବାକୁ ପଡିଥିଲା ଏପରିକି କିଛି ଲୋକ ମୃତ୍ୟୁ ବରଣ କରିଥିଲେ । ତେବେ ଦଳରୁ ଇସ୍ତଫା ଦେବା ପ୍ରସଙ୍ଗରେ ଅଜୟ କହିଛନ୍ତି, ଦଳ କାହାର ବ୍ୟକ୍ତିଗତ ସମ୍ପତି ନୁହେଁ । ତେଣୁ ସେ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ ।