ରାଜ୍ୟସଭା ରେସରୁ ଦୂରେଇଗଲା କି ବିଜେପି ? ସଂକେତ ଦେଲେ ଦଳର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ବିଜେଡ଼ି ଖାତାକୁ ଆସିପାରେ ୪ରୁ ୪ ଆସନ ।

618

କନକ ବ୍ୟୁରୋ : ରାଜ୍ୟସଭା ରେସରୁ ଦୂରେଇଗଲା କି ବିଜେପି? ରାଜ୍ୟସଭା ରେସରେ ବିଜେପିର କୌଣସି ଭୂମିକା ରହିବନି । ଯଦି ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯାଇଥାନ୍ତା ତେବେ ଏତେବେଳକୁ ସଂସଦୀୟ ବୋର୍ଡ ନିଷ୍ପତି ନେଇ ସାରିଥାନ୍ତା । କିନ୍ତୁ ଚଳିତ ରାଜ୍ୟସଭା ନିର୍ବାଚନରେ ଦଳର ସମ୍ପୃକ୍ତି ରହିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଦଳର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ଯଦି ବିଜେପି ପାଖରେ ସଂଖ୍ୟା ଥାନ୍ତା ତେବେ ପ୍ରାର୍ଥୀ ଦିଆଯାଇଥାନ୍ତା ତେବେ ଦଳ ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ପ୍ରାର୍ଥୀ ଦେବାର ଯୌକ୍ତିକତା ନାହିଁ ବୋଲି କହିଛନ୍ତି ପୃଥ୍ୱୀରାଜ ।

ଏହାବାଦ ସ୍ୱାଧୀନ ପ୍ରାର୍ଥୀ ଭାବେ ମମତା ସାମନ୍ତରାୟଙ୍କୁ ସମର୍ଥନ କରିବା ନେଇ ବିଜେପିର ନେଣଦେଣ ନାହିଁ ବୋଲି କହିଛନ୍ତି ପୃଥ୍ୱୀରାଜ । ଏପରିକି ଏନେଇ କୌଣସି ଆଲୋଚନା କି ଚର୍ଚ୍ଚା ହୋଇନାହିଁ । ଏହାଛଡା ଦଳର ସଂଖ୍ୟା ଯାହା ସେଭଳି ସ୍ଥିତିରେ ନିର୍ବାଚନ ଲଢିଲେ ଦଳର ପରାଜୟର ସମ୍ଭାବନା ଅଧିକ ରହିଛି । ତେଣୁ ଯୋଡତୋଡର ରାଜନୀତିରେ ଦଳ ବିଶ୍ୱାସ କରୁନଥିବାରୁ ଏ ଦିଗରେ ସଂସଦୀୟ ଦଳ ନିଷ୍ପତି ନେଉଛନ୍ତି ବୋଲି କହିଛନ୍ତି ପୃଥ୍ୱୀରାଜ ।

ତେବେ ବିଜେପିର ଏହି ସଂକେତ ପରେ ବିଜେଡି ଖାତାକୁ ୪ଟି ଆସନ ଆସିବା ନିଶ୍ଚିତ ହୋଇଛି । ଏହାପୂର୍ବରୁ ରାଜ୍ୟସଭା ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ । ମୁନ୍ନା ଖାଁ, ସୁବାସ ସିଂ, ସୁଜିତ କୁମାର, ମମତା ମହନ୍ତଙ୍କ ନାଁ ଘୋଷଣା କରିଥିଲେ ଦଳର ମୁଖିଆ ନବୀନ ପଟ୍ଟନାୟକ । ତେବେ ୩ଟି ଆସନ ପାଇଁ ଦଳ ପାଖରେ ଆବଶ୍ୟକୀୟ ସଂଖ୍ୟା ଥିବା ବେଳେ ୪ର୍ଥ ଆସନକୁ ବିଜେଡି କିଭଳି ହାତେଇବ ତାହାକୁ ନେଇ ସସପେନ୍ସ ଲାଗି ରହିଥିଲା । ସେହିଭଳି ଚତୁର୍ଥ ଆସନ ପାଇଁ ବିଜେପି ପାଖରେ ମଧ୍ୟ ଆବଶ୍ୟକୀୟ ସଂଖ୍ୟା ନଥିଲା । ଏପରିକି ସ୍ୱାଧୀନ କିମ୍ବା ଅନ୍ୟ ଦଳର ବିଧାୟକଙ୍କ ସମର୍ଥନ କରିବାକୁ ଗ୍ରୀନ୍ ସିଗନାଲ ଦେଇନଥିଲେ । ତେଣୁ ନିର୍ବାଚନ ଲଢିବା ଅପେକ୍ଷା ବିଜେପି ରାଜ୍ୟସଭା ରେସରୁ ଦୂରେଇ ରହୁଥିବା ନେଇ ସଂକେତ ଦେଇଛନ୍ତି ପୃଥ୍ୱୀରାଜ । ଆଉ ପୃଥ୍ୱୀରାଜଙ୍କ ଏଭଳି ସଂକେତ ଏବେ ବିଜେଡିକୁ ସୁହାଇଛି । ୪ର୍ଥ ଆସନ ପାଇଁ ଆଉ ବିଜେଡିକୁ କସରତ କରିବାକୁ ପଡିବନି । ବେଶ ଆରାମରେ ୪ରୁ ୪ ଆସନ ହାତେଇବ ବିଜେଡି ।

Comments are closed.