ମହାରାଷ୍ଟ୍ର ରାଜନୀତି: ଘଡ଼ିକେ ଘୋଡ଼ା ଛୁଟୁଛି, ସରକାର ଗଢ଼ିବନି ବିଜେପି, ରାଜ୍ୟପାଳଙ୍କୁ ଭେଟି ମତ ସ୍ପଷ୍ଟ କଲା ଶିବସେନାକୁ ଦୋଷ ଦେଲା ବିଜେପି ।

673

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ । ସରକାର ଗଢ଼ିବାକୁ ମନା କଲା ବିଜେପି । ଏକୁଟିଆ ସରକାର ଗଢ଼ି ପାରିବୁନି ବୋଲି ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟି ମତ ସ୍ପଷ୍ଟ କରିଛି ମହାରାଷ୍ଟ୍ର ବିଜେପି । ଗତକାଲି ମହାରାଷ୍ଟ୍ର ରାଜ୍ୟପାଳ ବିଜେପିକୁ ସରକାର ଗଢ଼ିବାକୁ ଆମନ୍ତ୍ରଣ କରିଥିଲେ । ଏବଂ ଆସନ୍ତା ସୋମବାର ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବା ପାଇଁ ଦେବେନ୍ଦ୍ର ଫଡନବୀସଙ୍କୁ ନିମନ୍ତ୍ରଣ କରିଥିଲେ ମହାରାଷ୍ଟ୍ର ରାଜ୍ୟପାଳ । ହେଲେ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିପାରିବୁନି ବୋଲି ପରୋକ୍ଷରେ ସ୍ପଷ୍ଟ କରିଛି ବିଜେପି ।

ସେପଟେ ଶିବସେନା ଗତକାଲି ରାତିରେ ସମସ୍ତ ବିଧାୟକଙ୍କ ସହିତ ବୈଠକ କରିଛି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୦୫ ଆସନ ପାଇଥିବା ବେଳେ ଶିବସେନା ପାଇଛି ୫୬ ଆସନ । ଏହି ଦୁଇ ତଳ ମେଂଟ କରି ନିର୍ବାଚନ ଲଢ଼ିଥିଲେ ସୁଦ୍ଧା, ମୁଖ୍ୟମନ୍ତ୍ରୀ ପଦକୁ ନେଇ ବୁଝାମଣା ହୋଇପାରିନଥିବାରୁ ସରକାର ଗଠନ ନେଇ ପରସ୍ପର ମଧ୍ୟରେ ଦୋଷ ଲଦାଲଦି ହେଉଛନ୍ତି ।

ଏପରିସ୍ଥଳେ ର୍ୟାପାଳଙ୍କୁ ଭେଟି ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଶିବସେନାକୁ ଛିଗୁଲେଇଛନ୍ତି । ଆଉ କହିଛନ୍ତି ବିଜେପି ସହ ଶିବସେନା ସରକାର ଗଢ଼ିବାକୁ ଚାହୁଁନି ଯଦି କଂଗ୍ରେସ-ଏନସିପି ସହ ମିଶି ସରକାର ଗଢ଼ିବ ତା’ହେଲେ ତାଙ୍କୁ ଅଭିନନ୍ଦନ ଜଣାଇ କଟାକ୍ଷ କରିଛନ୍ତି ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ।

ସେପଟେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ବିଜେପି ମହାରାଷ୍ଟ୍ରରେ ଉଭା ହୋଇଥିବାବେଳେ ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଳାଇବାକୁ ତାଙ୍କୁ କହିଥିଲେ ରାଜ୍ୟପାଳ । ଆଉ ଶନିବାର ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ବିଜେପି-ଶିବସେନା ମଧ୍ୟରେ ସରକାର ଗଠନ ନେଇ ସହମତି ହୋଇପାରୁନି । ଏବେ ମହାରାଷ୍ଟ୍ର ରାଜନୀତିରେ ଆଉ କେତେ ପ୍ରକାରର ରଙ୍ଗ ଲାଗିବ ଏବଂ କ’ଣ ହେବ ମହାରାଷ୍ଟ୍ରର ଭାଗ୍ୟ ତାହା ଉପରେ ରହିଛି ନଜର ।