କନକ ବ୍ୟୁରୋ: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେବେ ମମତା ମହନ୍ତ । ମମତାଙ୍କୁ ପୁଣିଥରେ ରାଜ୍ୟସଭା ପଠାଇବ ବିଜେପି । ଏନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର । ତାଙ୍କ କହିବା ମୁତାବକ, ମମତା ମହନ୍ତ ବିଜେପି ଟିକେଟରୁ ପୁଣିଥରେ ରାଜ୍ୟସଭା ଯିବେ । ଏନେଇ ଆସନ୍ତା ଦିନେ କିମ୍ବା ଦୁଇ ଦିନ ଭିତରେ କେନ୍ଦ୍ରୀୟ କମିଟି ପକ୍ଷରୁ ତାଙ୍କର ନାମ ଘୋଷଣା ହେବ ।

ସୂଚନାଯୋଗ୍ୟ ଯେ, ମମତା ମହନ୍ତ ବିଜେଡି ଟିକେଟରୁ ରାଜ୍ୟସଭାକୁ ନିର୍ବାଚିତ ହେଇଥିଲେ । ହେଲେ ଗତ ମାସ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହିତ ବିଜେଡିକୁ ମଧ୍ୟ ବାଏ ବାଏ କହିଥିଲେ । ଏହାପରେ ଦିଲ୍ଲୀରେ ସେ ବିଜେପିରେ ସାମିଲ ହେଇଥିଲେ । ଆଉ ସେବେଠୁ ଖାଲି ପଡିଥିବା ଏହି ରାଜ୍ୟସଭା ଆସନରେ କିଏ ଓଡିଶାରୁ ରାଜ୍ୟସଭାକୁ ଯିବ ତାକୁ ନେଇ ଚର୍ଚ୍ଚା ବଢିଥିଲା ।

ଏହାରି ଭିତରେ ଖାଲିପଡିଥିବା ରାଜ୍ୟସଭା ଆସନର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୧ ତାରିଖ ପର୍ୟ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ଆଶାୟୀ । ଏହାପରେ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ, ଆବଶ୍ୟକ ପଡିଲେ ସେପ୍ଟେମ୍ବର ୩ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ପଡିବ । ତେବେ ଯେହେତୁ ମମତା ମହନ୍ତ ବିଜେଡି ଏବଂ ରାଜ୍ୟସଭା ପଦ ଛାଡି ବିଜେପିରେ ସାମିଲ ହେଇଛନ୍ତି, ତେଣୁ ତାଙ୍କୁ ପୁଣିଥରେ ରାଜ୍ୟସଭା ଆସନ ଭେଟି ଦେଇପାରେ ପଦ୍ମ ଦଳ ।