କନକ ବ୍ୟୁରୋ: କୁହାଯାଏ ପାଟିରୁ ବାହାରି ଥିବା କଥା ଓ ଧନୁରୁ ବାହାରିଥିବା ତୀର କେବେ ଫେରେନାହିଁ । ଏହି ଉପଦେଶକୁ ମନେରଖି ବୟସ୍କ ଓ ବିଜ୍ଞଜନ ସବୁବେଳେ କଥା କହିବା ପୂର୍ବରୁ ହଜାରେ ଥର ଭାବିଚିନ୍ତି କଥା କହିବାକୁ ଆମକୁ କହିଥାନ୍ତି ।ହେଲେ ଆଜିକାର ସୋସିଆଲ ମିଡିଆରେ ଏହି କଥାକୁ କାହାରି ନିଘା ନାହିଁ । ଏହି କାରଣରୁ ରାଜନେତାମାନଙ୍କ କଥା ବା ଟିପ୍ପଣୀ ଅନେକ ସମୟରେ ଦେଶବାସୀଙ୍କ ଭାବନାକୁ ଆଘାତ ଦେଇଥାଏ । ଏବଂ ଅଯଥା ବିବାଦକୁ ନିମନ୍ତ୍ରଣ କରିଥାଏ । ଏପରି କିଛି କଥା କହି ବିବାଦ ଘେରକୁ ଆସିଛନ୍ତି କଂଗ୍ରେସ ମହାସଚିବ ରାହୁଲ ଗାନ୍ଧୀ ।
ରାହୁଲ ଗାନ୍ଧୀ ମୋଦୀ ସରକାର ତଥା ବିଜେପି ବିରୋଧରେ ଏମିତି କିଛି ଲେଖିଦେଲେ ଯାହାର ଫାଶରେ ନିଜେ ପଡିଯାଇଛନ୍ତି । ରାହୁଲଙ୍କର ଗୋଟିଏ ଟ୍ୱିଟ୍ ବିରୋଧରେ ଛିଡା ହୋଇଛି ବିଜେପି । ଆସାମ ବିଜେପି ପକ୍ଷରୁ ତାଙ୍କ ବିରୋଧରେ ଗୋଟିଏ ଦୁଇଟି ନୁହେଁ ୧୦୦୦ ରାଜଦ୍ରୋହ ମାମଲା ରୁଜୁ ହେବ ବୋଳଇ କୁହାଯାଇଛି ।
ଏପରି କ’ଣ ଲେଖିଥିଲେ ରାହୁଲ?
ରାହୁଲ ଗାନ୍ଧୀ ନିଜ ଟ୍ୱିଟରେ ଭାରତର ଶକ୍ତିକୁ ପ୍ରକାଶ କରିବାକୁ ଯାଇ ଲେଖିଥିଲେ ଯେ, ‘ଆମର ଭାରତୀୟ ସଂଘରେ ଶକ୍ତି ଅଛି: ଆମ ସଂସ୍କୃତିର ସଂଘ, ବିବିଧତା ସଂଘ, ଭାଷାମାନଙ୍କର ସଂଘ, ଲୋକଙ୍କ ସଂଘ, ରାଜ୍ୟମାନଙ୍କର ସଂଘ, କାଶ୍ମୀରଠାରୁ ଆରମ୍ଭ କରି କେରଳପର୍ଯ୍ୟନ୍ତ, ଗୁଜୁରାଟଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ପର୍ଯ୍ୟନ୍ତ, ଭାରତ ସବୁ ଦୃଷ୍ଟିରୁ ସୁନ୍ଦର । ଭାରତର ଭାବନାର ଅପମାନ କରନାହିଁ’ । କିନ୍ତୁ ଏତେ ସବୁ ଲେଖିବାବେଳେ ପୂର୍ବୋତ୍ତରକୁ ସାମିଲ କରିବାକୁ ଭୁଲିଯାଇଥିଲେ ।
ରାହୁଲଙ୍କ ଦ୍ୱାରା ଭାରତକୁ ‘ଗୁଜୁରାଟ ଠାରୁ ପଶ୍ଚିମବଙ୍ଗ ଯାଏଁ ‘ କହିବାକୁ ନେଇ ତାଙ୍କୁ ବିଜେପି ବିରୋଧ କରିଛି । ଏହି ଟ୍ୱିଟକୁ ନେଇ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । କଂଗ୍ରେସ ନେତାଙ୍କ ପାଇଁ ଭାରତ ପଶ୍ଚିମବଙ୍ଗରେ ହିଁ ଶେଷ ହୋଇଯାଉଛି । କିନ୍ତୁ ଅରୁଣାଚଳପ୍ରଦେଶ ସମେତ ଭାରତର ପୂବୋତ୍ତର ଭାଗ ବୋଧହୁଏ କଂଗ୍ରେସ ନେତାଙ୍କ ମନରେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରିଜିଜୁ । ଏହାକୁ ନେଇ ଆସାମ ବିଜେପି ରାହୁଲଙ୍କ ବିରୋଧରେ ଏକାଧିକ ରାଜଦ୍ରୋହ ମାମଲା ରୁଜୁ କରିବାକୁ ଯାଉଛି ।
Follow Us