ବାଚସ୍ପତି ପଦକୁ ନେଇ ମୁଣ୍ଡ ନୁଆଁଇବନି ବିଜେପି । ମେଣ୍ଟ ସହଯୋଗୀଙ୍କୁ ମିଳିପାରେ ଉପ-ବାଚସ୍ପତି ପଦ । ନିଜ ପାଖରେ ବାଚସ୍ପତି ପଦ ରଖିପାରେ ବିଜେପି ।

1,623

କନକ ବ୍ୟୁରୋ: ମେଣ୍ଟ ସହଯୋଗୀଙ୍କ ଆଗରେ ମୁଣ୍ଡ ନୁଆଁଇବନି ବିଜେପି । ଲୋକସଭା ବାଚସ୍ପତି ପଦକୁ ନେଇ ଚର୍ଚ୍ଚା ଭିତରେ, ବିଜେପି ଲୋକସଭା ଅଧ୍ୟକ୍ଷ ପଦ ନିଜ ପାଖରେ ରଖିବ ବୋଲି ସୂଚନା ମିଳିଛି । ଏଥିସହ ମେଣ୍ଟ ଧର୍ମ ପାଳନ କରି ସହଯୋଗୀ ଦଳର ଜଣେ ନେତାଙ୍କୁ ଉପ-ବାଚସ୍ପତି ଆସନରେ ବସାଯାଇପାରେ ବୋଲି ସୂଚନା ରହିଛି ।

ମୋଦୀ ୩.୦ ସରକାର ଗଠନ ପରଠାରୁ ଏନଡିଏ ମେଣ୍ଟରେ ଦବଦବା ପୂର୍ବଭଳି କାଏମ୍ ରଖିଛି ବିଜେପି । ଏମିତି କି ମନ୍ତ୍ରୀମଣ୍ଡଳ ଗଠନରେ ମଧ୍ୟ ବିଜେପିର ଦବଦବା ରହିଛି । ଆଉ ବର୍ତ୍ତମାନ ବାଚସ୍ପତି ପଦକୁ ନେଇ ମଧ୍ୟ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେପି କୌଣସି ପରିସ୍ଥିତିରେ ବି ବାଚସ୍ପତି ପଦ ନିଜ ପାଖରୁ ରଖିବାକୁ ଚେଷ୍ଟା ଚଳାଇଛି । ଏଥିସହ ଜେଡିୟୁ କିମ୍ବା ଟିଡିପିର ଜଣେ ନେତା ଉପ-ବାଚସ୍ପତି ଆସନରେ ବସିପାରନ୍ତି ବୋଲି କୁହାଯାଉଛି ।

ରବିବାର ପ୍ରତିିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଘରେ ସଂସଦୀୟ ଅଧିବେଶନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲେ । ଏହି ବୈଠକରେ ଜେପି ନଡ୍ଡାଙ୍କ ସହ ଅଶ୍ୱିନୀ ବୈଷ୍ଣବ, କିରଣ ରିଜିଜୁ, ଜେଡିୟୁ ନେତା ଲଲନ୍ ସିଂହ, ଚିରାଗ ପାସୱାନ୍ ପ୍ରମୁଖ ସାମିଲ ହେଇଥିଲେ । ବୈଠକରେ ବାଚସ୍ପତି ପଦ ଏବଂ ଉପ-ବାଚସ୍ପତି ପଦକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ହେଇଛି ।

ସୂଚନା ମୁତାବକ, ଆସନ୍ତା ଜୁନ୍ ୨୪ ତାରିଖରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଜୁନ୍ ୨୪ ଏବଂ ୨୫ ତାରିଖ ଦୁଇ ଦିନ ଧରି ସାଂସଦଙ୍କ ଶପଥ ଗ୍ରହଣ କରାଯିବ । ଏହାପରେ ଜୁନ୍ ୨୬ ତାରିଖରେ ବାଚସ୍ପତି ନିର୍ବାଚନ ହେବ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗୋଟିଏ ପଟେ ଏନଡିଏ ମେଣ୍ଟରେ ବାଚସ୍ପତି ପଦକୁ ନେଇ ଟଣାଓଟରା ଲାଗିଥିବାବେଳେ, ଅନ୍ୟପଟେ ବିରୋଧୀ ମେଣ୍ଟ ମଧ୍ୟ ବାଚସ୍ପତି ନିର୍ବାଚନକୁ ନେଇ ଆକ୍ସନ ମୁଡରେ ରହିଛି । ବିରୋଧୀ ପକ୍ଷଙ୍କ କହିବା କଥା, ଯଦି ଉପ-ବାଚସ୍ପତି ପଦ ସେମାନଙ୍କୁ ନ ଦିଆଯାଏ ତେବେ ସେମାନେ ବାଚସ୍ପତି ପଦ ପାଇଁ ମଧ୍ୟ ପ୍ରାର୍ଥୀ ଛିଡା କରିପାରନ୍ତି ।

ଏଥର ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟର ସିଟ୍ ବଢିଥିବା ହେୁତ, ଦୀର୍ଘ ଦିନ ପରେ ଲୋକସଭାକୁ ବିରୋଧୀ ଦଳ ନେତା ମିଳିବାକୁ ଯାଉଛି । ଏଥିସହ ଉପାଧ୍ୟକ୍ଷ ପଦକୁ ନେଇ ମଧ୍ୟ ନିର୍ବାଚନ ହେଇପାରେ । ଗତ ୫ ବର୍ଷ ଧରି ଲୋକସଭାରେ ଏହି ଉପାଧ୍ୟକ୍ଷ ପଦ ଖାଲି ପଡିଥିଲା ।