ନିଜ ପାଖରେ ଏହି ସବୁ ମନ୍ତ୍ରାଳୟ ରଖିବ ବିଜେପି । ସହଯୋଗୀଙ୍କୁ ମିଳିପାରେ ଶିକ୍ଷା, ରେଳ ଏବଂ କୃଷି ଭଳି ବିଭାଗ । ନେତାଙ୍କ ପାଖକୁ ଯାଉଛି ଫୋନ୍ କଲ୍ ।

732

କନକ ବ୍ୟୁରୋ: ଆଜି ଶପଥ ନେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଉ ଏହା ପୂର୍ବରୁ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ? କେଉଁ ଦଳ ଭାଗରେ କେତେ ମନ୍ତ୍ରୀ ପଦ ରହିବ? ତାକୁ ନେଇ ଚର୍ଚ୍ଚା ବଢିଛି । ଏମିତିକି ନେତାମାନଙ୍କୁ ଶପଥ ନେବା ପାଇଁ ଫୋନ୍ କଲ୍ ଯିବା ମଧ୍ୟ ଆରମ୍ଭ ହେଇଗଲାଣି । ବିଜେପିର କିଛି ନେତାଙ୍କ ସହ ଏନଡିଏ ସହଯୋଗୀ ଦଳର କିଛି ନେତାଙ୍କୁ ମଧ୍ୟ ଫୋନ୍ କଲ୍ ଯାଇଛି । ବିଶେଷ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ବିଜେପି ଏଥର କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ନିଜ ପାଖରେ ହିଁ ରଖିବ । ଏହାବାଦ୍ ଅନ୍ୟ ମନ୍ତ୍ରାଳୟରେ ସହଯୋଗୀ ଦଳର ନେତାଙ୍କୁ ମନ୍ତ୍ରୀ କରାଯିବ ବୋଲି ସୂଚନା ରହିଛି ।

ବିଜେପି ଏଥର ମଧ୍ୟ ଗୃହ ବିଭାଗ ସହ ଅର୍ଥ ବିଭାଗ, ବୈଦେଶିକ ବ୍ୟାପାର ଓ ପ୍ରତିରକ୍ଷା ବିଭାଗ ନିଜ ପାଖରେ ରଖିବ । ତେବେ ରେଳ, କୃଷି, ଶିକ୍ଷା ଭଳି କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଏଥର ବିଜେପି ନିଜ ପାଖରେ ନରଖି, ନିଜ ସହଯୋଗୀଙ୍କୁ ଦେଇପାରେ ।

ତେବେ ମୋଦୀ କ୍ୟାବିନେଟରେ ଶପଥ ନେବାକୁ ଏବେ ନେତାଙ୍କ ପାଖକୁ ଫୋନ୍ କଲ୍ ଯିବା ଆରମ୍ଭ ହେଇଛି । ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ବିଜେପି ନେତା ପିୟୁଷ ଗୋଏଲ, ରାଜନାଥ ସିଂହ, ନୀତିନ ଗଡକରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଫୋନ୍ ଯାଇଛି । ଏହାସହ ଜେଡିଏସ୍ ନେତା କୁମାରସ୍ୱାମୀ, ହାମ୍ ନେତା ଜିତନ ରାମ ମାଞ୍ଝୀ, ଆରଏଲଡି ନେତା ଜୟନ୍ତ ଚୌଧୁରୀ, ଏଲଜେପି(ଆର୍) ନେତା ଚିରାଗ ପାଶୱାନ୍, ଜେଡିୟୁ ନେତା ରାମନାଥ ଠାକୁର ଏବଂ ଅପନା ଦଳ ନେତ୍ରୀ ଅନୁପ୍ରିୟା ପଟେଲଙ୍କ ପାଖକୁ ଫୋନ୍ ଯାଇଛି । ଏହି ସବୁ ନେତା ଆଜି ମୋଦୀଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।