କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ରଣନୀତି କରୁଛି ବିଜେପି । କଣ କଲେ ଆଗାମୀ ନିର୍ବାଚନରେ ଦଳ ଅଧିକରୁ ଅଧିକ ଆସନ ହାତେଇବ, ତା ଉପରେ ଗୁରୁତ୍ୱ ଦେଉଛି । ଏହିକ୍ରମରେ ଅନ୍ୟ ଦଳର ବିଜୟ ସମ୍ଭାବନା ଥିବା ନେତାଙ୍କୁ ବିଜେପିରେ ମିଶାଇ ନିର୍ବାଚନରେ ବିଜୟୀ ହେବାକୁ ଯୋଜନା କରୁଛି । ଏପରିକି ଅନ୍ୟ ଦଳରୁ ନେତା ଆମଦାନୀ କରି ଉଭୟ ବିଧାନସଭା ଓ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

Advertisment

ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଓ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ୨୦୧୯ ନିର୍ବାଚନ ପୂର୍ବରୁ ଏହି ଦୁଇ ନେତା ଥିଲେ ବିଜେଡିରେ । କିନ୍ତୁ ଟିକେଟ ବଂଟନ ପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିବା ପରେ ବିଜେପିରେ ମିଶିଥିଲେ ଏବଂ ଦଳୀୟ ଟିକେଟ ପାଇ ନିର୍ବାଚନ ଜିତିଥିଲେ । ଗତ ନିର୍ବାଚନ ପୂର୍ବରୁ ସେହପରି ଦାମ ରାଉତ, ରଘୁ ମହାନ୍ତି, ଜୟରାମ ପାଙ୍ଗୀ, ବିଭୂ ତରାଇ, ଅମର ନାୟକଙ୍କ ଭଳି କିଛି ନେତା ମଧ୍ୟ ପୁରୁଣା ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ଯଦିଓ ସେମାନେ ଜିତି ପାରିନଥିଲେ, କିନ୍ତୁ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ୨୦୨୪ ନିର୍ବାଚନ ସମୟରେ ଏଭଳି ଅଙ୍କ କଷିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ରାଜ୍ୟ ବିଜେପି ।

ଜାତୀୟ ସ୍ତରରେ ମଧ୍ୟ ନେତା ଆମଦାନୀ ପାଇଁ ବିଜେପି ଜୋରଦାର କସରତ ଆରମ୍ଭ କରିଦେଇଛି । ଲକ୍ଷ୍ୟ ହେଉଛି, ଆସନ୍ତା ସାଧାରଣ ନିର୍ବାଚନରେ ୪୦୦ରୁ ଅଧିକ ସଂସଦୀୟ କ୍ଷେତ୍ରରେ ପଦ୍ମ ଫୁଟାଇବା । ବିଶେଷ କରି ୨୦୧୯ ନିର୍ବାଚନରେ ଯେଉଁ ୧୬୦ଟି ଆସନ ହରାଇଥିଲା, ସେହି ଆସନଗୁଡକ ଉପରେ ରହିଛି ଦଳର ଫୋକସ । ଏଥିପାଇଁ ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ବିନୋଦ ତାୱଡ଼େଙ୍କ ନେତୃତ୍ୱରେ ଗଠନ ହୋଇଛି ଜଏନିଂ କମିଟି ବା ମିଶ୍ରଣ କମିଟି । ଏ ନେଇ ଗତ ମଙ୍ଗଳବାର ଦିନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ଦଳର ଏକ ବୈଠକ ବସିଥିଲା । ଏହି ବୈଠକରେ ପୂରା ବ୍ଲୁ-ପ୍ରିଂଟ ପ୍ରସ୍ତୁତ ହୋଇଛି । କେଉଁ ନେତାଙ୍କୁ ଦଳରେ ସାମିଲ କରାଯିବ, ଏ ନେଇ ଚୂଡ଼ାନ୍ତ ହୋଇଛି ରୂପରେଖ । ଯେଉଁମାନଙ୍କର
କାହାକୁ ଦଳରେ ମିଶାଇବ ବିଜେପି?
ତୃଣମୂଳ ସ୍ତରରେ ପ୍ରଭାବ ରହିଥିବ
ଲୋକଙ୍କ ବିଶ୍ୱାସ ଜିତିଥିବେ
ସାଂସଦ କିମ୍ବା ବିଧାୟକ ରହିଥିବେ
ଆସନ୍ତା ନିର୍ବାଚନରେ ବିଜୟ ସମ୍ଭାବନା ଅଧିକ ଥିବ
ଏହି ନେତାମାନେ ବିଜେପିରେ ସାମିଲ ହେବାକୁ ଚାହିିଁଲେ, ସବୁଦିଗକୁ ଦୃଷ୍ଟିରେ ରଖି ତର୍ଜମା କରାଯିବ । ଏହାପରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଗଢ଼ା ଯାଇଥିବା ମିଶ୍ରଣ କମିଟି ଏ ନେଇ ନିଷ୍ପତି ନେବେ ।

ଯଦି ସାଂସଦ କିମ୍ବା ବରିଷ୍ଠ ନେତା ହୋଇଥିବେ, ତେବେ କେନ୍ଦ୍ରୀୟ କମିଟି ତର୍ଜମା କରିବ ଏବଂ ସେମାନଙ୍କ ପାଇଁ ଦିଲ୍ଲୀରେ ଆୟୋଜିତ ହେବ ମିଶ୍ରଣ ପର୍ବ । ବିଧାୟକ ଓ ରାଜ୍ୟସ୍ତରୀୟ ନେତା ହୋଇଥିଲେ ଏ ନେଇ ରାଜ୍ୟ ମିଶ୍ରଣ କମିଟି ନିଷ୍ପତି ନେବ ।

କେନ୍ଦ୍ରସ୍ତରରେ ବିଜେପି ମିଶ୍ରଣ କମିଟି ଗଠନ କରିଥିବା ବେଳେ ଖୁବଶୀଘ୍ର ରାଜ୍ୟରେ ଗଠନ ହେବାକୁ ଯାଉଛି ମିଶ୍ରଣ କମିଟି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅନ୍ୟ ଦଳର ଅନେକ ନେତା ଯୋଗାଯୋଗରେ ରହିଥିବା କହିଆସୁଛି ରାଜ୍ୟ ବିଜେପି ।