କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ବିଜେପି ତରଫରୁ ଏବେ ଥିବା ସାଂସଦମାନଙ୍କର ଟିକେଟ କାଟିବା ସହ ନୂଆ ଚେହେରାଙ୍କୁ ସୁଯୋଗ ଦେବାକୁ ମନ୍ଥନ ଜାରି ରଖିଛି ।

Advertisment

ସୂତ୍ର ସୂଚନା ମୁତାବକ ପାର୍ଟି ତରଫରୁ ସ୍ୱାଧୀନତାର ୧୦୦ ବର୍ଷ ପର୍ଯ୍ୟନ୍ତ ଲୋକସଭାରେ ଯୁବ ପ୍ରତିନିଧୀଙ୍କ ସଂଖ୍ୟା ବୃଦ୍ଧି କରିବା ଉପରେ କାମ କରୁଛି । ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ୧୫୦ ନୂଆ ଚେହେରାଙ୍କୁ ଟିକେଟ ଦେବ ବୋଲି ସୂଚନା ରହିଛି । ସେହିଭଳି ଏଥିରେ ୪୧ ରୁ ୪୫ ବର୍ଷ ମଧ୍ୟରେ ଅଧିକ ଆଶାୟୀଙ୍କୁ ସୁଯୋଗ ମିଳିବ ।

ବିଜେପିର ଜଣେ ମହାସଚିବଙ୍କ କହିବା ମୁତାବକ ଲୋକସଭାରେ ମାତ୍ର ୨୬ ପ୍ରତିଶତ ସଦସ୍ୟଙ୍କ ବୟସ ୪୦ ବର୍ଷରୁ କମ୍ ଥିଲା । ଫଳରେ ଲୋକସଭାରେ ୩ ରୁ ୧୧ ଥର ପର୍ଯ୍ୟନ୍ତ ବିଜୟୀ ହୋଇଥିବା ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗୁଥିଲା । ଏହାକୁ ନଜରରେ ରଖି ଦଳ ୨ କିମ୍ବା ତା ଠାରୁ ଅଧିକ ଥର ନିର୍ବାଚିତ ହୋଇଥିବା ସାଂସଦଙ୍କୁ ଏବେ ସଂଗଠନର ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଛି ।

ଏହା ବ୍ୟତୀତ ରାଜ୍ୟସଭା ପାଇଁ ମଧ୍ୟ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି । ମହାସଚିବଙ୍କ କହିବା ମୁତାବକ କୌଣସି ନେତାଙ୍କୁ ୨ ଥରରୁ ଅଧିକ ରାଜ୍ୟସଭାକୁ ପଠାଯିବ ନାହିଁ । ଏହାସହ ଏଭଳି ୮୦ ପ୍ରତିଶତ ଲୋକଙ୍କୁ ରାଜ୍ୟସଭା ପଠାଯିବ ଯେଉଁମାନେ ଆଇନ, ଚିକିତ୍ସା, ବିଜ୍ଞାନ, କଳା, ଆର୍ଥିକ ମାମଲା, ଟେକ୍ନୋଲୋଜୀ, ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଦଳ ସୁଯୋଗ ଦେବ ।