ମଉଳିଲା ମେଣ୍ଟ ଆଶା! ‘ଏକାକୀ ଲଢ଼ିବ ବିଜେପି’

76

କନକ ବ୍ୟୁରୋ: ମେଂଟ ଚର୍ଚ୍ଚା ଭିତରେ ରାଜ୍ୟ ରାଜନୀତି ଶିଥିଳ ପଡି ଆସୁଥିବା ବେଳେ ସୋସିଆଲ୍ ମିଡିଆରେ ମନମୋହନ ସାମଲଙ୍କ ପୋଷ୍ଟ ବାତାବରଣକୁ ସରଗରମ କରିଦେଇଛି । ଯଦିଓ ତାଙ୍କ ପୋଷ୍ଟରେ ମେଂଟ ସଂପକରେ ନିରବ ରହିଛନ୍ତି, କିନ୍ତୁ ବିଜେପି ସମସ୍ତ ବିଧାନସଭା ଓ ଲୋକସଭାରେ ଏକାକୀ ଲଢ଼ିବ ବୋଲି କହିଛନ୍ତି ରାଜ୍ୟ୍ୟ ବିଜେପି ସଭାପତି । ମନମୋହନଙ୍କ ଏହି ପୋଷ୍ଟକୁ ରି-ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହାପରେ ମେଂଟ ଆଶା ମଉଳିଗଲା ବୋଲି କୁହାଯାଉଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଉତ୍ସବମୁଖର ହୋଇ ଉଠିଛନ୍ତି ନେତା ଓ କର୍ମୀ । ବାଣ ଫୁଟାଇ ଖୁସି ମନାଇଛନ୍ତି । ପୂର୍ବରୁ ଶୀର୍ଷ ନେତୃତ୍ୱ ମେଂଟ ସଂପର୍କରେ ନିଷ୍ପତି ନେବେ ବୋଲି ବିଜେପି କହି ଆସୁଥିବା ବେଳେ ମନମୋହନଙ୍କ ପୋଷ୍ଟ, ମେଂଟ ଚର୍ଚ୍ଚା ଉପରେ ପୂରା ପୂର୍ଣ୍ଣଚ୍ଛେଦ ପକାଇଲା ନା ଏଥିରେ ଆଉ କିଛି ବାକି, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ।

ବିଜେଡି-ବିଜେଡି ମେଂଟ ନେଇ ରାଜ୍ୟବାସୀ ଦ୍ୱନ୍ଦ୍ୱରେ ରହିଥିବା ବେଳେ ସୋସିଆଲ୍ ମିଡିଆରେ ବିଜେପି ରାଜ୍ୟ ସଭାପତିଙ୍କ ପୋଷ୍ଟ ପୁଣି ହଟଚମଟ ସୃଷ୍ଟି କରିଛି । ‘ଏକ୍ସ’ରେ ମନମୋହନ ସାମଲ ଯାହା ଲେଖିଛନ୍ତି, ତା’ର ସାରମର୍ମ ହେଉଛି –

ଏକାକୀ ନିର୍ବାଚନ ଲଢ଼ିବ ବିଜେପି
୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଏକାକୀ ଲଢ଼ିବ ଦଳ
ପୂର୍ବରୁ ମଧ୍ୟ ସୋସିଆଲ୍ ମଡିଆରେ ଏଭଳି ଏକ ପୋଷ୍ଟ କରି ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଥିଲେ । କିନ୍ତୁ କିଛି ସମୟ ପରେ ଏହି ପୋଷ୍ଟକୁ ହଟାଇ ଦେଇଥିଲେ । କେବଳ ସେତିକି ନୁହେଁ କେଉଁ ଏକ ଅଦୃଶ୍ୟ କାରଣରୁ ଗୋଟିଏ ଘଂଟା ଭିତରେ ତାଙ୍କର ମତ ମଧ୍ୟ ବଦଳାଇ ଦେଇଥିଲେ । କିନ୍ତୁ ଏଥର ତାଙ୍କର ଏହି ପୋଷ୍ଟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ଏକାଧିକ ନେତା ରି-ପୋଷ୍ଟ କରିଛନ୍ତି । ତେଣୁ ଏହା ସାମଗ୍ରିକ ଭାବେ ରାଜ୍ୟ ବିଜେପିର ମତ ଭଳି ପ୍ରତୀୟ ହେଉଛି ।

ସୋସିଅଲ୍ ମିଡିଆ ‘ଏକ୍ସ’ରେ ମନମୋହନଙ୍କ ଏହି ପୋଷ୍ଟ ଆଉ ଏକ କାରଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ଏଥିରେ ସେ କେବଳ ବିଜେପି ଏକାକୀ ଲଢ଼ିବ ବୋଲି କହିନାହାନ୍ତି, ବିଭିନ୍ନ ପ୍ରସଙ୍ଗରେ ବିଜେଡି କେନ୍ଦ୍ର ସରକାରଙ୍କୁ ସମର୍ଥନ ଜଣାଇ ଥିବାରୁ ପ୍ରଶଂସା ମଧ୍ୟ କରିଛନ୍ତି ମନମୋହନ । ସେ ଲେଖିଛନ୍ତି..

ଗତ ୧୦ ବର୍ଷ ଧରି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିଜୁ ଜନତା ଦଳ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ତ୍ୱ ଥିବା ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି । ଏଥିପାଇଁ ଧନ୍ୟବାଦ ଜଣାଉଛୁ । ଦଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟ ସବୁ ତ୍ୱରାନ୍ୱିତ ହୋଇଛି । କିନ୍ତୁ ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଁଚି ପାରୁନାହିଁ, ଫଳରେ ଓଡ଼ିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାନ୍ତି । ଓଡ଼ିଆ ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନାହୁଁ ।

ମନମୋହନ ତାଙ୍କ ପୋଷ୍ଟରେ ମେଂଟ ସଂପର୍କରେ ସେ କେଉଁଠି ବି ଉଲ୍ଲେଖ କରିନାହାନ୍ତି । ତେଣୁ ମେଂଟ ଚର୍ଚ୍ଚା ଉପରେ ପୂରା ପୂର୍ଣ୍ଣଚ୍ଛେଦ ପଡ଼ିଗଲା କହିବା ଏବେ ବି ମୁସ୍କିଲ ହୋଇପଡିଛି । ପୂର୍ବରୁ ଶୀର୍ଷ ନେତୃତ୍ୱ ମେଂଟ ନେଇ ନିଷ୍ପତି ନେବେ ବୋଲି ବିଜେପି କହି ଆସିଥିବା ବେଳେ ମନମୋହନଙ୍କ ଏପରି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ପୁଣିଥରେ ସରଗରମ କରିଦେଇଛି ।
ମେଂଟ ଚର୍ଚ୍ଚାର ଘଟଣାକ୍ରମ ଉପରେ ନଜର ପକାନ୍ତୁ –

ବିଜେଡି-ବିଜେପି ‘ମେଣ୍ଟ’ ଚର୍ଚ୍ଚା
ମାର୍ଚ୍ଚ ୫ – ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ମାର୍ଚ୍ଚ ୬ – ରାଜ୍ୟ ନେତାଙ୍କ ସହ ମନମୋହନଙ୍କ ଦିଲ୍ଲୀ ଗସ୍ତ
ସେହି ଦିନ ମାର୍ଚ୍ଚ ୬ – ନବୀନ ନିବାସରେ ମେଂଟ ସଂକ୍ରାନ୍ତରେ ବୈଠକ
ମାର୍ଚ୍ଚ ୭ – ଚର୍ଚ୍ଚା ବଢ଼ାଇଲା ପାଣ୍ଡିଆନ ଓ ପ୍ରଣବଙ୍କ ଦିଲ୍ଲୀ ଗସ୍ତ
ମାର୍ଚ୍ଚ ୮ – ଆସନ ଭାଗବଂଟା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା
ମାର୍ଚ୍ଚ ୧୪ – ଦିଲ୍ଲୀରୁ ଫେରି ଭିନ୍ନ ଭିନ୍ନ ବୟାନ ଓ ସୋସିଆଲ ମିଡିଆ ପୋଷ୍ଟ କରି ଡିଲିଟ୍ କଲେ ମନମୋହନ
ସେହି ଦିନ ମାର୍ଚ୍ଚ ୧୪ – ନବୀନ ନିବାସରେ ଦ୍ୱିତୀୟ ବୈଠକ
ମାର୍ଚ୍ଚ ୧୯ – ପାଣ୍ଡିଆନଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା
ମାର୍ଚ୍ଚ ୨୦ – ଅମିତ ଶାହ ମଧ୍ୟ ରଖିଲେ ମତ
ମାର୍ଚ୍ଚ ୨୨ – ଏକାକୀ ଲଢ଼ିବ ବିଜେପି: ମନମୋହନ