କନକ ବ୍ୟୁରୋ: ଓଡ଼ିଶାରେ ବିଜେପି ଆରମ୍ଭ କରିବ ସଦସ୍ୟତା ଅଭିଯାନ। ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେବ ବିଜେପିର ସଦସ୍ୟତା ଅଭିଯାନ। ରାଜ୍ୟରେ ଏକ କୋଟି ସଦସ୍ୟଙ୍କୁ ବିଜେପିରେ ସାମିଲ କରିବା ଦଳର ଲକ୍ଷ୍ୟ ରହିଛି । ଉଭୟ ଅନଲାଇନ ଏବଂ ଫିଜିକାଲି ଏହି ସଦସ୍ୟ ସଂଗ୍ରହ ଅଭିଯାନ କରିବ ବିଜେପି। ଏହାକୁ ନେଇ ଭୁବନେଶ୍ୱରରେ ରାଜ୍ୟ ବିଜେପି ପକ୍ଷରୁ ସ୍ଵତନ୍ତ୍ର ଭାବେ ସଦସ୍ୟ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଗକୁ ଜିଲ୍ଲା ଏବଂ ମଣ୍ଡଳ ସ୍ତରରେ ସଦସ୍ୟତା ଅଭିଯାନ ନେଇ କର୍ମାଶାଳା ଅନୁଷ୍ଠିତ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ତେବେ ଓଡ଼ିଶାରେ ପ୍ରଥମଥର ପାଇଁ ବିଜେପି ସରକାର କରିବା ପରେ ଆରମ୍ଭ କରିବ ସଦସ୍ୟ ଅଭିଯାନ। ରାଜ୍ୟରେ ପାର୍ଟିର ସାଙ୍ଗଠନିକ ସ୍ଥିତି ଏବଂ ଭୋଟ୍ ପ୍ରତିଶତକୁ ଆହୁରି ସଙ୍ଗଠିତ ଏବଂ ମଜବୁତ କରିବା ଦଳ ଏଭଳି ବଡ ଅଭିଯାନ ଆରମ୍ଭ କରିଛି। ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେବାକୁଥିବା ସଦସ୍ୟତା ଅଭିଯାନ ଓଡ଼ିଶାରେ ୪୫ ଦିନ ଧରି ଚାଲିବ। ଦଳର ବରିଷ୍ଠ ନେତା କର୍ମଶାଳାରେ ଗୁରୁମନ୍ତ୍ର ଦେଇଥିଲେ। ରାଜ୍ୟ ବିଜେପିର ୩୬ ସାଙ୍ଗଠନିକ ଜିଲ୍ଲାର ୩୬ ହଜାର ବୁଥରେ ହେବ ସଦସ୍ୟତା ଅଭିଯାନ। ଆଗକୁ ବିଜେପିର ବୁଥ ସଂଖ୍ୟା ବଢିପାରେ ବୋଲି ଦଳ ପକ୍ଷରୁ କୁହାଯାଇଛି।