ମୋଦିଙ୍କ ପୋଷ୍ଟର ବ୍ୟବହାର କଲେ ରୁଜୁ ହେବ ମାମଲା । ବିହାର ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ବିଜେପିର କଡ଼ା ଚେତାବନୀ

ମୋଦିଙ୍କ ପୋଷ୍ଟର ଓ ବ୍ୟାନର କେବଳ ଏନଡିଏ ବ୍ୟବହାର କରିପାରିବ

381

କନକ ବ୍ୟୁରୋ : ବିହାର ନିର୍ବାଚନ ପାଇଁ ଏନଡିଏ ମେଣ୍ଟରେ ଲାଗି ରହିଥିବା ବିବାଦ ମେଣ୍ଟିବା ପରେ ଏବେ ବିଜେପି ବିରୋଧୀଦଳ ମାନଙ୍କୁ ଏକ କଡା ଚେତାବନୀ ଦେଇଛି । ଏକ ବୈଠକ କରି ଏନଡିଏ କହିଛି ଯେ ନିର୍ବାଚନ ବେଳେ ଏନଡିଏ ବ୍ୟତିତ ଯଦି କୌଣସି ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ବ୍ୟବହାର କରେ ତେବେ ସେମାନଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ମାମଲା ରୁଜୁ ହେବ ।

ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ଦେଇ ବିହାର ରାଜ୍ୟ ବିଜେପିର ଅଧ୍ୟକ୍ଷ ସଂଜୟ ଜୟଶ୍ୱାଲ କହିଛନ୍ତି କି ପ୍ରଚାର ବେଳେ ମୋଦିଙ୍କ ପୋଷ୍ଟର ଓ ବ୍ୟାନର କେବଳ ଏନଡିଏ ବ୍ୟବହାର କରିପାରିବ । ଏହା ସହ ଏନଡିଏର କୌଣସି ଷ୍ଟାର ପ୍ରଚାରକଙ୍କ ପୋଷ୍ଟରକୁ ବି ବିରୋଧୀ ମାନେ ବ୍ୟବହାର କରିପାରିବେ ନାହିଁ । ଯଦି ବିରୋଧୀ ଦଳ ମାନେ ଏଥିରୁ ନିବୃତ ନରୁହନ୍ତି ତାହେଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବ ।

ଅନ୍ୟପଟେ ବିହାରରେ ବିଜେପି ଓ ଜେଡିୟୁ ମିଳିତ ଭାବେ ନିର୍ବାଚନ ଲଢୁଥିବା ବେଳେ ଏଲଜେପିକୁ ନେଇ ଝଡ ଉଠିଛି । ଏଲଜେପି ବିଜେପି ସହିତ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଥିବା ବେଳେ ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେବାକୁ ନିସ୍ପତ୍ତି ନେଇଛି । ଏହାକୂୁ ନେଇ ବିଜେପି ହରଡଘଣାରେ ପଡିଛି । ଏନେଇ ବିହାର ବିଜେପି ପାଇଁ ପ୍ରଚାରର ମଙ୍ଗ ଧରିଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି କି ବିହାର ବିଜେପିର କୌଣସି ନେତା ଯଦି ଏଲଜେପି କର୍ମକମର୍ତ୍ତାଙ୍କ ସହିତ ଝଗଡା କରେ ତେବେ ତାଙ୍କୁ ଦଳରୁ ବହିସ୍କାର କରାଯିବ ।

ଏଠାରେ କହିରଖୁ କି ଆଜି (ବୁଧବାର) ବିଜେପିର ବରିଷ୍ଠ ନେତ୍ରୀ ଓଷା ବିଦ୍ୟାର୍ଥୀ ବିଜେପି ଛାଡି ଏଲଜେପିରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ବିହାର ବିଜେପିର ଉପାଧ୍ୟକ୍ଷ ରାଜେନ୍ଦ୍ର ସିଂ ବି ଏଲଜେପିରେ ସାମିଲ ହୋଇଥିଲେ । ରାଜେନ୍ଦ୍ର ସିଂ ଜେଡିୟୁ ବିରୋଧରେ ଦିନାରା ଆସନରୁ ନିର୍ବାଚନ ଲଢୁଥିବା ଜଣା ପଡିଛି । ସେହିଭଳି ଓଷା ବିଦ୍ୟାର୍ଥୀ ପାଲିଗଂଜ ଆସନରୁ ଜେଡିୟୁର ଜୟବର୍ଦ୍ଧନ ଯାଦବଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି । ଓଷା ବିଦ୍ୟାର୍ଥୀ ପାଲିଗଞ୍ଜ ଆସନରୁ ୨୦୧୦ ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।