କନକ ବ୍ୟୁରୋ: ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜ୍ଞାପନ ରଣନୀତି । ବିଜ୍ଞାପନ ଜରିଆରେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରୁଛନ୍ତି ରାଜନୈତିକ ଦଳ । ଏଭଳି ଏକ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ତଥ୍ୟ ଅନୁସାରେ ଗୁଗଲ ବିଜ୍ଞାପନ ଖର୍ଚ୍ଚରେ ବିଜେପି ଶୀର୍ଷରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳତାକୁ ଲୋକ ଲୋଚନକୁ ଆଣିବା ପାଇଁ ଗତ ଏକ ବର୍ଷରେ ୧୯ କୋଟି ଟଙ୍କା ଖର୍ଚ୍ଚ କରିଛି ଭାରତୀୟ ଜନତା ପାର୍ଟି ।
କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ୭.୨ କୋଟି ଗୁଗଲ ବିଜ୍ଞାପନରେ ଖର୍ଚ୍ଚ କରିଥିଲା । ମାତ୍ର ସେଠାରେ ହାରି ଯାଇଥିଲା ଦଳ । ସେହିପରି ରାଜସ୍ଥାନରେ ମାତ୍ର ୨ କୋଟି ୯୮ ଲକ୍ଷ ଖର୍ଚ୍ଚ କରାଯାଇଥିଲା, ହେଲେ ସେଠାରେ ବିଜେପିକୁ ବିଜୟ ମିଳିଛି । ଗୁଗଲର ବିଜ୍ଞାପନ ବିଶେଷ କରି ଯୁବ ଗୋଷ୍ଠୀ ଓ ନୂଆ ଭୋଟରଙ୍କ ଉପରେ ପ୍ରଭାବ ପକାଉଥିବାରୁ ଏହାକୁ ଗୁରୁତ୍ୱ ଦେଇଛି ବିଜେପି ।
ବିଜ୍ଞାପନ ଖର୍ଚ୍ଚରେ ବିଜେପି ପଛକୁ କଂଗ୍ରେସ ନୁହେଁ ବରଂ ରହିଛି ଭାରତ ରାଷ୍ଟ୍ର ସମିତି ବା ବିଆରଏସ୍ । ବିଆରଏସ୍ ତେଲେଙ୍ଗାନାରେ ୧୧ କୋଟି ୯ ଲକ୍ଷ ଏବଂ ଆନ୍ଧ୍ରପ୍ରଦେଶରେ ୧୬ କୋଟି ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା । ବିଜ୍ଞାପନ ରଣନୀତି ସତ୍ୱେ ବିଧାନସଭା ନିର୍ବାଚନରେ କଂଗ୍ରେସ ଠାରୁ ହାରି ଯାଇଥିଲା ଦଳ । ଗୁଗୁଲ ବିଜ୍ଞାପନ ଖର୍ଚ୍ଚରେ ତୃତୀୟ ସ୍ଥାନରେ ରହିଛି କଂଗ୍ରେସ । ଗତ ବର୍ଷ ୪ କୋଟି ୫୯ ଲକ୍ଷ ଟଙ୍କା ଗୁଗଲ ବିଜ୍ଞାପନରେ ଖର୍ଚ୍ଚ କରିଛି କଂଗ୍ରେସ । ଯାହା କେବଳ କର୍ଣ୍ଣାଟକରେ ସୀମିତ ରହିଥିଲା ।