କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଇଣ୍ଡିଆ ମେଣ୍ଟ ଗଠନ ପରେ ବିଜେପି ବି ତାର ପୂର୍ବ ସହଯୋଗୀଦଳମାନଙ୍କୁ କିଭଳି ଏକାଠି କରିବ ତାହା ଉପରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ କର୍ଣ୍ଣାଟକ ରାଜନୀତିରେ ଏକ ନୂଆ ମୋଡ ଦେଖିବାକୁ ମିଳିଛି । କିଛିଦିନ ତଳେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ପରସ୍ପର ବିରୋଧରେ ନିର୍ବାଚନ ଲଢିଥିବା ବିଜେପି ଓ ଜେଡିଏସ୍ କିନ୍ତୁ ଆଗାମୀ ଲୋକସଭା ନିର୍ବାଚନ ମିଳିତ ଭାବେ ଲଢିବେ ବୋଲି ଜଣାପଡିଛି । ଏନେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦ୍ଦୁରପ୍ପା ସୂଚନା ଦେଇଛନ୍ତି ।

Advertisment

ବିଏସ୍ ୟେଦ୍ଦୁରପ୍ପ କହିଛନ୍ତି କି, ଜେଡିଏସ୍ ମୁଖ୍ୟ ଓ ବିଜେପି ନେତା ଅମିତ ଶାହାଙ୍କ ସହ ମିଳିତ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ହୋଇଛି । ଏହାସହ ଆସନ ବୁଝାମଣା ନେଇ ମଧ୍ୟ ସହମତି ହୋଇଥିବା କଥା କହିଛନ୍ତି ୟେଦ୍ଦୁରପ୍ପା । ସେ କହିଛନ୍ତି କି, କର୍ଣ୍ଣାଟକରେ ବିଜେପି ଜେଡିଏସକୁ ୪ଟି ଆସନ ଛାଡିବ ବୋଲି ନିଷ୍ପତ୍ତି ହୋଇଛି ।

ସେପେଟ ୟେଦ୍ଦୁରପ୍ପାଙ୍କର ଏଭଳି ବୟାନ ଉପରେ ଜେଡିଏସ୍ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । କର୍ଣ୍ଣାଟକରେ ମୋଟ ୨୮ଟି ଲୋକସଭା ଆସନ ରହିଛି । ଗତ ଲୋକସଭା ନିର୍ବାଚନରେ ବିଜେପି ୨୫ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା । କଂଗ୍ରେସକୁ ଗୋଟିଏ ଓ ଜେଡିଏସକୁ ଗୋଟିଏ ଆସନ ମିଳିଥିଲା । ହେଲେ ଆଗାମୀ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରିଥିବାରୁ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବାକୁ ହେଲେ ଜେଡିଏସର ସହଯୋଗ ଦରକାର ବୋଲି ବିଜେପି ଅନୁଭବ କରୁଛି ।